ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଲୁଟିବ

୨୬ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ

ପୁରୀ: ୨୬ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ (ବିଜେଡି) । ପୂର୍ଣ୍ଣ ଯୌବନପ୍ରାପ୍ତ ଦଳର ମୁଖିଆ ନବୀନ ପଟ୍ଟନାୟକ ନିଜକୁ ନାରୀଶକ୍ତିର ଉପାସକ ଭାବେ ପ୍ରତିଷ୍ଠା କରିପାରିଛନ୍ତି । ତା’ ସହିତ ଦଳଟିକୁ ମହିଳାକୈନ୍ଦ୍ରିକ କରିବା ପାଇଁ ଆହ୍ୱାନ କରିଛନ୍ତି । ସଂକ୍ଷିପ୍ତ ଭାଷଣ ଭିତରେ ସେ ନାରୀଜାତିର ସହଯୋଗ କାମନା କରି କହିଛନ୍ତି, ମା’ମାନେ ଆସନ୍ତୁ, ଶାସନ କରନ୍ତୁ । ମା’ମାନେ ଚାହିଁଲେ, ବିଜେଡି ୧୦୦ ବର୍ଷ ଶାସନ କରିପାରିବ । ଓଡ଼ିଶାରେ ମିଶନ ଶକ୍ତି ବେଶ ଅଗ୍ରଗତି କରିଛି । ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ମତରେ ମା’ମାନଙ୍କ ପିଠିରେ ହାତ ଥାପୁନେଇ ଶାସନ କରିବା ସହଜ । ମା’ଙ୍କୁ ଅଳି କରି ଭୋଟ ଲାଭ କରିବା ସହଜ । ମା’ଙ୍କୁ ମନାଇ ଶାଢ଼ୀପଣତରୁ ଟଙ୍କା ଲୁଟିବା ସହଜ ।

୨୫ ବର୍ଷ ଭିତରେ ‘ଗୋଦରା କୋଡେ଼ ଯେତେ ମାଡେ଼ ସେତେ’ ନୀତିରେ ବିଜେଡି ସାଢେ଼ ଚାରିକୋଟି ଲୋକଙ୍କୁ ଯୋଜନା ଆଳରେ କଳାକନା ବୁଲାଇଛି । ମା’ ଗର୍ଭରେ ବଢୁଥିବା ଭ୍ରୁଣ ମୁଣ୍ଡରେ ୩୭ ହଜାର ଟଙ୍କାର ଋଣ ଲଦିଛି ବିଜେଡି । ପିଲାଟିଏ ଭୂମିଷ୍ଠ ହେବା ପରଠାରୁ ଭୂମିଗତ ପର୍ଯ୍ୟନ୍ତ ଯେତେସବୁ ଯୋଜନା ପ୍ରଣୟନ କରାଯାଇଛି, ତା’ର ମାତ୍ର ୨୦ ଭାଗ ପିଲାଟି ଉପଭୋଗ କରୁଥିବା ବେଳେ ଅବଶିଷ୍ଟ ୮୦ ଭାଗ ମୁଖ୍ୟମନ୍ତ୍ରୀ, ବିଧାୟକ, ମନ୍ତ୍ରୀ, ସାଂସଦ, ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀଙ୍କ ଦରମା ଓ ପେନ୍‌ସନ୍‌ ବାବଦକୁ ଖର୍ଚ୍ଚ ହେଉଛି ।
ବିଜେଡି ଅମଳରେ ଦୁର୍ନୀତିର ଜାତୀୟକରଣ କରାଯାଇଛି । କ୍ଷମତାସୀନ ଦଳ ଭାବେ ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଟଙ୍କା ସଂଗ୍ରହ କରି ସେଇ ଟଙ୍କାକୁ ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କ ହାତରେ ଗୁଞ୍ଜି ନିର୍ବାଚନ ଜିତିବା ଓ ଲୋକଙ୍କୁ ଶାସନ କରିବା କଳାଟି ଏକା ନବୀନ ପଟ୍ଟନାୟକଙ୍କୁ ଜଣା ।

ନବୀନ ପଟ୍ଟନାୟକଙ୍କ ଶଙ୍ଖ ମାର୍କା ପଟି ବେକରେ ଥିଲେ ପୁଲିସ ପ୍ରଶାସନର ତଳିଆ କର୍ମଚାରୀଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନେ ଦଣ୍ଡବତ ପକାଉଥିବେ । ସେଇ ପଟିଖଣ୍ଡିକ ବେକରେ ପକେଇ ସତରଟି ଖୁନ କରି ଖସିଯିବ । ସତୁରିଟି ଦୁଷ୍କର୍ମ କରି ରକ୍ଷା ପାଇଯିବ । ସାତପୁରୁଷକୁ ଟଙ୍କା ସାଇତି ପାରିବ ।
ଝିଅମାନଙ୍କୁ ମାଗଣା ଶିକ୍ଷା ଓ ଉଚ୍ଚଶିକ୍ଷା ଘୋଷଣା କରି କଲେଜ ବିକାଶ ପାଣ୍ଠି ଆଳରେ ପ୍ରତ୍ୟେକ ଝିଅଙ୍କଠାରୁ ହଜାର ହଜାର ଟଙ୍କା ଲୁଟି ନିଆଯାଉଥିବା ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବରେ ଜାଣିଛନ୍ତି । ମାତ୍ର କୌଣସି କଲେଜ ପରିଚାଳନା କମିଟିକୁ ତାଗିଦ ନକରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣକୁ ଆଖିଠାର ।