ଆସନ୍ତା ୭ରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟକୁ ଖୁବଶୀଘ୍ର ଫେରିବ ଶୀତ । ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ବର୍ତ୍ତମାନ ପାଗ ମେଘୁଆ ରହିବା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ନିମ୍ନସ୍ତରରେ ରହୁଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ୨୦ ଡିଗ୍ରୀ ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୫୫.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା, ଛତ୍ରପୁର, କୋରାପୁଟ, ଗୋପାଳପୁରରେ ହାଲୁକା ବର୍ଷା ହୋଇଥିବା ଜଣାପଡ଼ିଛି ।