ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଓ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବହୁ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ତେବେ ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ଆଜି ପାଇଁ ସମଗ୍ର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷ ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

ସେହିପରି ୨୬, ୨୭ ଏବଂ ୨୮ ତାରିଖରେ ରାଜ୍ୟରେ ଅନେକ ଜିଲ୍ଲାରେ ଘଡଘଡି ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ସର୍ବାଧିକ ୯୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲାର ଘସିପୁରାରେ ୭୫.୩ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ାରେ ୭୫.୦, କେନ୍ଦୁଝର ଜିଲ୍ଲାର ହାଟଡିହିରେ ୫୫.୧, କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରରେ ୪୨.୦, କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୩୬.୪, ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୩୬.୪, ବନ୍ତରେ ୩୨.୦, ବାଲେଶ୍ୱର ଜିଲ୍ଲାର ସୋରରେ ୨୮.୦ ଏବଂ କୋରାପୁଟ ଜିଲ୍ଲା ପଟାଙ୍ଗିରେ ସର୍ବନିମ୍ନ ୨୫.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।