ନବଦାସଙ୍କ ପରିବାରକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

ଗୋପାଳ ଦାସକୁ ଲମ୍ବା ସମୟ ପାଇଁ..

ଝାରସୁଗୁଡ଼ା: ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ ଲମ୍ବା ସମୟ ପାଇଁ ଜେଲକୁ ପଠାଇ ନବଦାସଙ୍କ ପରିବାରର ଜଣକୁ ବିଧାୟକ କରାଇ ମାମଲାର ଦଫାରଫା କରିବା ପାଇଁ ବିଜେଡି ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଗଲାଣି । ବିଜେଡିର ଜଣେ ଟାଣୁଆ ନେତା କହନ୍ତି, ଯାହା ହେବାର ଥିଲା ହୋଇଗଲାଣି । ବିରୋଧୀ ଦଳ ଅଯଥା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି । ଗୃହ ବିଭାଗଟିକୁ ହାତରେ ରଖିଛନ୍ତି ବୋଲି କ’ଣ ନିଜେ ମୁଖ୍ୟମନ୍ତ୍ରୀ ହାତରେ ବନ୍ଧୁକ ଧରି ତାଙ୍କ ମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦେଇଥାନ୍ତେ ।

ନବଦାସ ଆମ ଦଳର ଜଣେ ବିଶିଷ୍ଟ ସେନାପତି ଥିଲେ । ପଶ୍ଚିମ ଓଡ଼ିଶାର ବିଜେଡି ପାହାଡ଼ କହିଲେ ଆମେମାନେ ନବଦାସଙ୍କୁ ଜାଣୁ । ଜଣେ ପୁଲିସ କର୍ମଚାରୀ ତାଙ୍କୁ ଗୁଳି କରି ମାରିଦେବ ବୋଲି ଆମେ କଳ୍ପନା କରି ନଥିଲୁ ।

ପଛକଥା ଭାବି ଆଉ ଲାଭ ନାହିଁ । ଆମକୁ ଦଳର ଭବିଷ୍ୟତ ଚିନ୍ତା କରିବାକୁ ପଡ଼ିବ । ବର୍ଷକ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ । ନବଦାସଙ୍କ ପରିବାରକୁ ଥଇଥାନ କରି ଆମକୁ ଆଗକୁ ଚାଲିବାକୁ ହେବ । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଜଣେ ଆଗଧାଡ଼ିର ନେତା ତାଙ୍କ ନାମ ଗୋପନ ରଖିବା ସର୍ତରେ ଏଭଳି ବିବୃତି ଦେଇଛନ୍ତି । ନାମ ଲେଖିବା ପାଇଁ ଅନୁମତି ଲୋଡ଼ିବାରୁ ସଂପୃକ୍ତ ନେତାଜଣକ କହିଲେ, ଆମ ନେତା ନବୀନ ପଟ୍ଟନାୟକ । ଆମେ କୋଉ ଗାଈର ଗୋବର । ଅନୌପଚାରିକ ଭାବେ ପଚାରିଲ ବୋଲି କହିଦେଲି ।