ଶାଗୁଣା ବସିଛି ଡେଣା ମେଲାଇ: ନବୀନଙ୍କ ପଂଚମ ପାଳିରେ ୭ ବଳି

ପରଲୋକରେ ୨ କ୍ୟାବିନେଟ୍‌ ମନ୍ତ୍ରୀ, ୫ ବିଧାୟକ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ଶାସନ ଏକ ଐତିହାସିକ ମାଇଲ ଖୁଂଟ ତିଆରି କରିଛି । ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ରାଜ୍ୟରେ ୬ଟି ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ହେବାର ସମ୍ଭାବନା ରହିଛି ।

ପରଲୋକଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା କାରଣରୁ ଝାରସୁଗୁଡ଼ା ଆସନଟି ଖାଲି ହୋଇଛି । ନବଦାସଙ୍କ ବ୍ୟତୀତ ଅନ୍ୟ ୬ ଜଣ ଦିବଂଗତ ବିଧାୟକ ମଦନମୋହନ ଦତ, ପ୍ରଦୀପ ମହାରଥୀ, ବିଷ୍ଣୁ ଦାସ, ବିଷ୍ଣୁ ସେଠୀ, କିଶୋର ମହାନ୍ତି ଓ ବିଜୟ ରଞ୍ଜନ ସିଂହ ବରିହା ରୋଗ କବଳରେ ପଡ଼ି ପ୍ରାଣ ହରାଇଛନ୍ତି ।

ଦେଶର ଅନ୍ୟ କୌଣସି ରାଜ୍ୟର କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କ ୫ ବର୍ଷିଆ ଶାସନ ପାଳି ଉପନିର୍ବାଚନ ଋତୁ ଭିତରେ କଟିନି ।
୨୦୧୯ ବିଧାନସଭା ନିର୍ବାଚନ ସରିବାର ବର୍ଷେ ଚାରିମାସ ଅର୍ଥାତ୍‌ ୨୦୨୦ ଜୁନରେ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତଙ୍କର ଅକାଳ ବିୟୋଗ ଘଟିଲା । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଜିତିବା ଫଳରେ ବିଜେପି ହାତରୁ ଗୋଟିଏ ଆସନ ଚାଲି ଯାଇଥିଲା । ପରେପରେ ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସଙ୍କର ପରଲୋକ ଘଟିବାରୁ ତାଙ୍କ ପୁଅ ବିଜୟ ଶଙ୍କର ଦାସ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଜିତିଲେ ।

୨୦୨୦ ସେପ୍ଟେମ୍ବରରେ ପିପିଲି ବିଧାୟକ ତଥା କ୍ୟାବିନେଟ୍‌ ମନ୍ତ୍ରୀ ପ୍ରଦୀପ ମହାରଥୀ କରୋନାରେ ପ୍ରାଣ ହରାଇଲେ । ପିପିଲି ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଭାବେ ଜିତାପଟ ହାସଲ କଲେ ।

୨୦୨୧ ଡିସେମ୍ବରରେ ଆକସ୍ମିକ ହୃଦଘାତ କାରଣରୁ ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କର ମୃତ୍ୟୁ ଘଟିଲା । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ଟିକେଟ୍‌ ପାଇ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ବିଜୟ ଲାଭ କଲେ ।

୨୦୨୨ ଅକ୍ଟୋବରରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କର ବିୟୋଗ ଘଟିଲା । ପଦ୍ମପୁର ଉପନିର୍ବାଚନରେ ତାଙ୍କ ସୁପୁତ୍ରୀ ବର୍ଷା ସିଂହ ବରିହା ବିଜେଡି ପ୍ରାର୍ଥୀ ହେଲେ ଓ ଜିତିଲେ ।

ଏବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି । ୨୦୧୯ ପରଠାରୁ ରାଜ୍ୟରେ ଅନୁଷ୍ଠିତ ୬ଟି ଉପନିର୍ବାଚନ ଭିତରୁ ବିଜେପି ଗୋଟିଏ ଆସନ ହରାଇଛି । ବାଲେଶ୍ୱର ସଦର ଆସନଟିକୁ ବିଜେପି ହାତଛଡ଼ା କରିଥିଲା ବେଳେ ଧାମନଗର ଆସନଟିକୁ ବଜାୟ ରଖିପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଫିକା ପଡ଼ିଯାଇଛି । ନବୀନବାବୁଙ୍କ ପଂଚମ ପାଳି ଶାସନରେ ରାଜ୍ୟବାସୀ ୬ଟି ଉପନିର୍ବାଚନ ଦେଖିବାକୁ ପାଇଛନ୍ତି । ସପ୍ତମ ଉପନିର୍ବାଚନଟି ଝାରସୁଗୁଡ଼ାରେ ଅନୁଷ୍ଠିତ ହେବ ।