ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥର ଉପନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍ ୨ ଲକ୍ଷ ୨୧ ହଜାର ୯୯୮ ଜଣ ଭୋଟର ରହିଛନ୍ତି। ତନ୍ମଧ୍ୟରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ ଓ ୧ ଲକ୍ଷ ୧୧ ହଜାର ୬୮୭ ଜଣ ମହିଳା ଭୋଟର ରହିଛନ୍ତି। ତେଣୁ ମହିଳାଙ୍କର ଏହି ଭୋଟ୍ ହାତେଇବାକୁ ସବୁ ଦଳ ଏବେ ତତ୍ପର।

୩ ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଲଢେଇ ଆରମ୍ଭ:
ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଦୀପାଳିଙ୍କୁ ପ୍ରାର୍ଥୀ କରି ଦଳ ଅନୁକମ୍ପା ସାଙ୍ଗକୁ ମହିଳା କାର୍ଡ ବି ଖେଳିଛି। ଦୀପାଳି ମଧ୍ୟ ପ୍ରଚାର ଆରମ୍ଭ କରିଥିବା ବେଳେ ମହିଳା ଭୋଟରଙ୍କୁ ଏକତ୍ରିତ କରିବାରେ ଲାଗିପଡ଼ିଛନ୍ତି। ତେବେ ବିଜେଡି ଉପରେ ଏହି ମହିଳା କାର୍ଡ କେତେ ପ୍ରଭାବ ପକାଇବ ତାହା ସମୟ କହିବ।

କଂଗ୍ରେସ ମଧ୍ୟ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣଙ୍କୁ ପ୍ରାର୍ଥୀ କରି ଅନୁକମ୍ପା କାର୍ଡ ଖେଳିଛି। ଯାହା ଦଳ ସପକ୍ଷରେ ଯିବ ବୋଲି କଂଗ୍ରେସ କର୍ମୀ ଯୁକ୍ତି ବାଢ଼ୁଛନ୍ତି।

ବିଜେପି ପ୍ରାର୍ଥୀଭାବେ ଟଙ୍କଧର ତ୍ରିପାଠୀଙ୍କ ନାମ ମଧ୍ୟ ଘୋଷଣା ହୋଇଛି।

ସମୂଳେ ପରିବର୍ତ୍ତିତ ରାଜନୈତିକ ବାତାବରଣ, ବେଲଗାମ୍ ଅପରାଧ, ଅନେକ ସମସ୍ୟା,ବର୍ଦ୍ଧିତ ଦରଦାମ୍ ଓ ବିକାଶ ଆଦି ପ୍ରସଙ୍ଗକୁ ନେଇ ଭୋଟର କେଉଁ ଦଳକୁ ବିଜୟୀ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ଅଛି।

ନିର୍ଣ୍ଣାୟକ ଭୂମିକାରେ ମହିଳା ଭୋଟର:
ଗତ ବିଧାନସଭା ନିର୍ବଚନର ପୁଲିଂ ଓ ଚଳିତ ଥର ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ଭୋଟର ତାଲିକାକୁ ଅନୁଶୀଳନ କଲେ ମହିଳା ଭୋଟରଙ୍କ ଗୁରୁତ୍ବ ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରେ। ତେଣୁ ଚଳିତ ଉପନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅର୍ଥାତ୍ ଯେଉଁ ଦଳକୁ ମହିଳାଙ୍କ ସମର୍ଥନ ଅଧିକ ରହିବ, ସେହି ଦଳ ହିଁ ବାଜିମାତ୍ କରିବ ଅନୁମାନ କରାଯାଉଛି। ମହିଳା ଭୋଟର୍ଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ନିର୍ବାଚନ ପରିଚାଳନାରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି।