ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ

ବାଲେଶ୍ବର(ଏସ୍ ନ୍ଯୁଜ): ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବାଲେଷ୍ଟିକ କ୍ଷେପଣାସ୍ତ୍ର K-15 ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବଦୁଲ କଲାମ ଦ୍ବୀପରୁ ଏହାକୁ ଉତ‌କ୍ଷେପଣ କରାଯାଇଛି । ୪ନଂ ଲଞ୍ଚପ୍ୟାଡରୁ ୧୨ଟା ୧୦ରେ ଏହାକୁ ଉତକ୍ଷେପଣ କରାଯାଇଛି ।

ତେବେ ପଞ୍ଚମ ଥର ପାଇଁ ମିସାଇଲର ପରୀକ୍ଷଣ କରାଯାଇଥିବା ବେଳେ ପ୍ରଥମଥର ପାଇଁ ସ୍ଥଳପଥରୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ରାଡ଼ାର ମାଧ୍ୟମରେ ମିଳିଥିବା ତଥ୍ୟକୁ ବୈଜ୍ଞାନିକ ମାନେ ସମୀକ୍ଷା କରୁଛନ୍ତି ।

ସୂଚନା ଥାଉକି ପୂର୍ବରୁ ମିସାଇଲକୁ ବୁଡ଼ା ଜାହାଜ ଅରିହଣ୍ଟରୁ ଉତକ୍ଷେପଣ କରାଯାଉଥିଲା । ୨୦୧୧ରେ ଏହି କ୍ଷେପଣାସ୍ତ୍ର ସ୍ଥଳସେନାରେ ସାମିଲ ହୋଇଥିଲା । ଏହାର ଓଜନ ୧୭ଟନ୍‌ ଥିବାବେଳେ ଲମ୍ବ ୧୨ ମିଟର ଓ ମୋଟେଇ ୦.୮ ମିଟର ରହିଛି । ଏଥିରେ ୨ ଟନ୍‌ ଓଜନର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । K-15 ମିସାଇଲ ୩ ହଜାରରୁ ସାଢେ ୩ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି ।