କମୁଛି କରୋନା କୋପ, ଆଜିଠୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ଦିନକୁ ଦିନ କରୋନାର କୋପ କମୁଥିବାରୁ କୋହଳ ହେଲା କଟକଣା। ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ, ଜାନୁଆରୀ ମାସରେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଫେବୃଆରୀରେ ଏଥିରେ ସାମାନ୍ୟ କୋହଳ କରାଯାଇଥିଲା। କରୋନା ଗ୍ରାଫ ତଳମୁହାଁ ଥିବାରୁ ଫେବୃଆରୀରେ ଏହି କଟକଣାକୁ ରାତି ୧୦ଟାରୁ ଲାଗୁ କରାଗଲା। ହେଲେ ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ହଜାରେ ତଳେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନାଇଟ କର୍ଫ୍ୟୁ କଟକଣାକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି ରାଜ୍ୟ ସରକାର।