ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ

ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା…

କେନ୍ଦୁଝର: ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ, ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା । ଆଉ ଏହି ସମୟରେ ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଅଗ୍ନିଶମ ବାହିନୀ ।
ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଛନ୍ତି ଅଗ୍ନିଶମ ବାହିନୀ ।ଆଉ ସେଥିରେ ଝୁଲି ଝୁଲି ନଈ ପାରି ହେବାକୁ ପଡ଼ୁଛି ଜଣେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ ମହିଳାଙ୍କୁ।

ଆଜିର ଯୁଗରେ ବି ଯେ ଏଭଳି ଅପହଞ୍ଚ ଇଲାକା ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଛି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆଉ ଲଜ୍ଜା ବି ଲାଗେ।ତାଳପଦା ପଞ୍ଚାୟତ ମୁଣ୍ଡାସାହିକୁ ରାସ୍ତା ଖଣ୍ଡେ ନଥିବାରୁ, ତେଲକୋଇ ଅଗ୍ନିଶମ ବାହିନୀ ସହାୟତାରେ ଏଭଳି ବିପଦ ସଂକୁଳ ଅବସ୍ଥାରେ ସମାକୋଇ ନଦୀ ପାରି ହୋଇଛନ୍ତି ୩ ମାସର ଗର୍ଭବତୀ ବାସନ୍ତି ମହାରଣା।

ଗତକାଲି ସନ୍ଧ୍ୟାରେ ତାଙ୍କ ପେଟ ଭୀଷଣ ଯନ୍ତ୍ରଣା ହୋଇଥିଲା, ଆଉ ଆଜି ସକାଳୁ ସେ ଗୁରୁତର ହୋଇଯାଇଥିଲେ। ଏଣେ ଅସମ୍ଭବ ଯନ୍ତ୍ରଣା, ତେଣେ ଉଛୁଳା ନଈ। ମେଡିକାଲକୁ ଯିବାର ବାଟ ନାହିଁ। ଏଭଳି ସ୍ଥିତିରେ ଅଗ୍ନିଶମ ବାହିନୀ ଦେବଦୂତ ସାଜି ମହିଳାଙ୍କୁ ନଈ ପାରି କରାଇବା ସହିତ ତେଲକୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। କେନ୍ଦୁଝର ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।