ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

କେନ୍ଦୁଝର: କେନ୍ଦୁଝର ସଦର ମହକୁମା ସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ପାଞ୍ଚଦିନ ଧରି ଚାଲିଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ ଚନ୍ଦ୍ର ମହାନ୍ତି ଯୋଗ ଦେଇ କେନ୍ଦୁଝର ଜିଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେଇଥିବା ଆଞ୍ଚଳିକ କୃଷିଯନ୍ତ୍ରପାତି ମେଳା ନିମନ୍ତେ କୃଷି ବିଭାଗକୁ ଧନ୍ୟବାଦ ଦେଇଥିଲେ ଓ ମେଳାରେ ପ୍ରଦର୍ଶିତ କୃଷିଯନ୍ତ୍ରପାତି ବିଷୟରେ ତଥ୍ୟ ହାସଲକରି କୃଷକ ଭାଇଭଉଣୀ ମନେ ଲାଭାନ୍ବିତ ହେବେ ବୋଲି ମତ ରଖିଥିଲେ ।

ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପର୍ଶୁରାମ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ଅତିଥିଭାବେ ଯୋଗ ଦେଇଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ, କେନ୍ଦୁଝର ଶ୍ରୀ ଦେବବ୍ରତ ସାମଲ ମତ୍ସ୍ୟ ଚାଷକୌଶଳ ଓ ବିଭାଗ ତରଫରୁ ଥିବା ସୁବିଧା ସୁଯୋଗ; ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସୁକାନ୍ତ କୁମାର ସାହୁ ଉନ୍ନତ କୌଶଳ ପ୍ରୟୋଗରେ ଫସଲ ଚାଷ ବିଷୟରେ ବକ୍ତବ୍ୟ ରଖିଥିଲେ । କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କୃଷିଶ୍ରମିକ ସମସ୍ୟା ସମାଧାନ ହୋଇପାରିବ ବୋଲି ନିର୍ବାହୀ କୃଷିଯନ୍ତ୍ରୀ ଇଂ ସମର ବିଶ୍ୱାଳ କହିଥିଲେ ।

ସଭାରେ ମୁଖ୍ୟ ଅତିଥି, ପ୍ରଦର୍ଶନ ମଣ୍ଡପ ମଧ୍ୟରୁ ସରକାରୀ ବିଭାଗ କ୍ଷେତ୍ରରେ ଓଡିଶା କୃଷି ଶିଳ୍ପ ନିଗମ ଲିଃ କେନ୍ଦୁଝର, ବେସରକାରୀ କ୍ଷେତ୍ରରେ ନମୋ କିସାନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ହରିଚନ୍ଦନପୁର ବ୍ଲକର ସୁର୍ୟୋଦୟ ଗୋଷ୍ଠୀକୁ ମାନପତ୍ର ଓ ଉପହାର ଦେଇ ସଂମ୍ମାନିତ କରିଥିଲେ । ମେଳାରେ ଶହେ କୋଡିଏଟି ପ୍ରଦର୍ଶନ ମଣ୍ଡପ ମାଧ୍ୟମରେ କୃଷି ଯନ୍ତ୍ରପାତି ବିକ୍ରେତା, ବିଭିନ୍ନ ବିଭାଗ, ସ୍ୱୟଂ ସହାୟକ ଗୋଷ୍ଠୀ, ସହଯୋଗୀ ଅନୁଷ୍ଠାନ, ସ୍ବେଛାସେବୀ ସଂଗଠନମାନଙ୍କ ଦ୍ୱାରା ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମ ପ୍ରଦର୍ଶନ; ଛଅ ଗୋଟି କୃଷକ ପାଠଶାଳା ମାଧ୍ୟମରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଆସିଥିବା ଛଅ ଶହ କୃଷକଙ୍କୁ ତାଲିମ ସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଓ ଏହିସବୁ କାର୍ଯ୍ୟକ୍ରମକୁ କେନ୍ଦୁଝର ବ୍ୟତୀତ ମୟୁରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ପ୍ରଭୃତି ଜିଲ୍ଲାର ସାହସ୍ରାଧିକ ବ୍ୟକ୍ତି ଉପଭୋଗ କରିଥିବାର ତଥ୍ୟ କୃଷିଜିଲ୍ଲା ଅଧିକାରୀ, କେନ୍ଦୁଝର ଶ୍ରୀ ବିଶ୍ୱଜୟୀ ମିଶ୍ର ପ୍ରଦାନ କରିଥିଲେ ଓ ସମସ୍ତ ଅଂଶୀଦାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।