‘କୁଲାଙ୍ଗେ ଅଳିଆକୁ ବାହାର କରିଦେଲେ, ସବୁ ଠିକ ହୋଇଯିବ’

ଅଣଓଡ଼ିଆ ଅଧିକାରୀଙ୍କୁ ରାଜ୍ୟରୁ ବାହାର କରିଦେଲେ, ସବୁ ଠିକ ହୋଇଯିବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛି ରାଷ୍ଟ୍ରୀୟ ପରିବର୍ତନ ଦଳ । ବିଏମ୍‌ସିରୁ ବିଜୟ ଅମୃତା କୁଲାଙ୍ଗେ ନାମକ ଅଳିଆକୁ ବାହାର କରିଦେଲେ, ଘରକୁ ଘର, ଗଳିକୁ ଗଳି ଯାଇ ଅଳିଆ ସଂଗ୍ରହ କରୁଥିବା ଠିକାଦାର ସଂସ୍ଥାକୁ ଭୁବନେଶ୍ୱର ବାସିନ୍ଦା ପୁରାପୁରି ଠିକ କରିଦେବେ । ବିଏମସି କମିଶନର କୁଲାଙ୍ଗେଙ୍କ ଗରମାଗରମ ବୟାନକୁ ଶୁଣିବା ପରେ ଆରପିଡି ନେତା ସୀତାରାମ ବେହେରା ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

Senior IAS Vijay Amruta Kulange_BMC Commissioner
Senior IAS Vijay Amruta Kulange_BMC Commissioner

ଝିଂଟିକା ମାରି ବଣି ପୋଷୁଛି ବିଏମସି । ଠିକାସଂସ୍ଥାକୁ ମାଲାମାଲ କରିବା ପାଇଁ କୁଲାଙ୍ଗେ ଆପଣା ମନମାନି ଚଳାଇଛନ୍ତି । ନିର୍ବାଚିତ ଲୋକପ୍ରତିନିଧିଙ୍କ କଥାକୁ ଶୁଣିବାକୁ ନାରାଜ । ଲୋକମାନେ ପୃଥକ ପୃଥକ ଓଦା ଓ ଶୁଖିଲା ଆବର୍ଜନା ଦେଉଛନ୍ତି । କିନ୍ତୁ ଅଳିଆଗାଡ଼ି ସହିତ ଘରକୁ ଘର, ଦୋକାନରୁ ଦୋକାନ, ଗଳିକୁ ଗଳି ବୁଲୁଥିବା କର୍ମଚାରୀମାନେ ସେମାନଙ୍କ ହାମବଡ଼ା କାମ କରୁଛନ୍ତି ।

ସାଧାରଣ ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପ୍ରଶାସକ ପ୍ରଥମେ ଅଳିଆଗାଡ଼ି ସହିତ ବୁଲି ଅଳିଆ ସଂଗ୍ରହ କରନ୍ତୁ । ତା’ପରେ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସାଧାରଣ ଲୋକଙ୍କ ଦୟା ଉପରେ ନିର୍ଭର କରି ଚଳୁଥିବା ଆଇଏଏସ୍‌ ଅଧିକାରୀ କୁଲାଙ୍ଗେଙ୍କ ମୁହଁରେ ତମତମ କଥା ଆଦୌ ଶୋଭାପାଉନି । ଏତେ ବୁଦ୍ଧିମାନ ମେଧାବୀ ଲୋକଟା ଆପଣା ଗୋଡ଼ରେ ଠିଆ ନହୋଇ ମାସିକ ବେତନ ପାଇଁ ଲୋକଙ୍କ ହାତଟେକାକୁ ଅନାଉଛନ୍ତି କ’ଣ ପାଇଁ?

ସୂଚନାଯୋଗ୍ୟ, ଓଦା ଓ ଶୁଖିଲା ଅଳିଆ ଦେବା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଉଥିବା ସମୟରେ ବିିଏମସି କମିଶନର କୁଲାଙ୍ଗେ ଭୁବନେଶ୍ୱର ବାସିନ୍ଦାଙ୍କୁ ଧମକ ଦେବା ଠାଣିରେ କହିଥିଲେ ଯେ ଲୋକମାନେ ଅଲଗା ଅଲଗା କରି ଓଦା ଓ ଶୁଖିଲା ଅଳିଆ ନଦେଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାଷ୍ଟ୍ରୀୟ ପରିବର୍ତନ ଦଳ ନେତା ସୀତାରାମ ବେହେରା କହିଛନ୍ତି, ବିଏମସି ସହିତ ଜଡ଼ିତ ଠିକାସଂସ୍ଥାର ମହିଳା କର୍ମଚାରୀମାନେ ନିଜକୁ ଜଣେ ଜଣେ କୁଲାଙ୍ଗେ ଭାବୁଛନ୍ତି । ଲୋକଙ୍କ ପ୍ରତି ସେମାନଙ୍କ ବ୍ୟବହାର ଅସହନୀୟ ହୋଇପଡ଼ିଛି ।

ଠିକାସଂସ୍ଥାର କର୍ମଚାରୀମାନେ ପ୍ରଥମେ ସେମାନଙ୍କ କଥା ଓ ବ୍ୟବହାର ମାର୍ଜିତ କରନ୍ତୁ । ନଚେତ ବିଏମସି କମିଶନରଙ୍କୁ ବିଚ୍‌ ରାସ୍ତାରେ ଚାଲିବାକୁ ଦିଆଯିବନି ।

ଲୋକଙ୍କ ଉପରେ ତାଉ ଦେଖାଇବା ପୂର୍ବରୁ କୁଲାଙ୍ଗେ ଆଗ ବିଏମସିକୁ ସଜାଡ଼ନ୍ତୁ ।  ତା’ ନହେଲେ ଜନତାଙ୍କ ରାଗକୁ ସାମ୍ନା କରିବା କୁଲାଙ୍ଗେଙ୍କୁ ଭାରି ପଡ଼ିବ ।