ମେୟରଙ୍କୁ ମଟନ୍‌ ଦେଲିନି, ବୁଲଡୋଜର ଚଢ଼ାଇଦେଲେ

କିଶୋରବାବୁଙ୍କ ମୁହଁଫୁଟାଣି ମାଟିରେ ମିଶିଲା…..

ଭୁବନେଶ୍ୱର: ବିଏମ୍‌ସି ମେୟର ସୁଲୋଚନା ମ୍ୟାଡାମଙ୍କ ପାଖରେ ମଟନ୍‌ ଧରି ପହଂଚିଲି ନାହିଁ ବୋଲି ବିଏମ୍‌ସି ଅଧିକାରୀମାନେ ମୋ ଉପରେ ଆକ୍ରୋଶ ରଖି ହୋଟେଲ୍‌ ଭାଙ୍ଗିଦେଲେ । ଆଜି ଏଭଳି ମନ୍ତବ୍ୟ ପ୍ରକାଶ କରିଛନ୍ତି ଭୁବନେଶ୍ୱର ଟିଭି ସେଂଟର ନିକଟ ଲୋକପ୍ରିୟ ମଟନ୍‌ ହୋଟେଲର ମାଲିକ କିଶୋରବାବୁ । ତାଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛନ୍ତି କିଛି ସ୍ଥାନୀୟ ଲୋକେ । ବିଏମ୍‌ସିର ବହୁ ଅଂଚଳକୁ ମାଡ଼ି ବସି ବହୁଲୋକ ଘରବାଡ଼ି ତିଆରି କରିଛନ୍ତି । ଅଧିକାଂଶ ଲୋକ ହୋଟେଲ ସମେତ ଅନ୍ୟାନ୍ୟ ଦୋକାନ ଖୋଲିଛନ୍ତି । କିଶୋରବାବୁ ଏତେ ଦିନ ଧରି ମଟନ୍‌ ଦୋକାନ ଖୋଲିଥିଲେ । ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ସମୟରେ କିଶୋରବାବୁଙ୍କ ଦୋକାନକୁ ଆସି ମଟନ୍‌ ନିଅନ୍ତି । ଏ ବର୍ଷ ତାଙ୍କ ମଟନ୍‌ ଦୋକାନ ଉପରେ ବିଏମ୍‌ସିର ଏତେ ରାଗ କାହିଁକି?

ବିଏମ୍‌ସି କହିଛି, କିଶୋରବାବୁଙ୍କ ହୋଟେଲରେ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ଚାଲିଥିଲା । ତେଣୁ ତାଙ୍କ ଲାଇସେନ୍ସକୁ ବାତିଲ କରାଯାଇଥିଲା । ତାଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଖାଦ୍ୟରେ ନିମ୍ନମାନର ସସ୍‌ ଓ ରଙ୍ଗ ମିଶାଯାଉଥିଲା । ବିଏମ୍‌ସିର ବୁଧବାର କାର୍ଯ୍ୟାନୁଷ୍ଠାନକୁ ମାମୁଲି ମଣି କିଶୋରବାବୁ ଗୁରୁବାର ଦୋକାନ ଖୋଲିଥିଲେ । ହେଲେ ତାଙ୍କ ଦାଦାଗିରି ବେଶିକ୍ଷଣ ରହିଲାନି । ବିଏମ୍‌ସି ଓ ବିଡିଏ ଟିମ ପହଂଚି କିଶୋରବାବୁଙ୍କ ହୋଟେଲ ଉପରେ ବୁଲଡୋଜର ଚଳାଇଦେଲେ ।

ବୁଲଡୋଜର ଚଲାଯାଉଥିଲା ବେଳେ ମଧ୍ୟ କିଶୋରବାବୁଙ୍କ ପାଟି ବନ୍ଦ ନଥିଲା । କହି ଚାଲିଥିଲେ, ‘ମୋ ହୋଟେଲ ମଟନ୍‌ ନିମ୍ନମାନର ହୋଇଥିଲେ, କାହିଁ କେତେଦୂରରୁ ମୋ ପାଖକୁ ଲୋକମାନେ ଆସୁ ନଥାନ୍ତେ । ମୋ ଦୋକାନ ଉପରେ ସୁଲୋଚନା ମ୍ୟାଡାମଙ୍କର ଲୋଲୁପ ଦୃଷ୍ଟି ପଡ଼ିଲା । ସବୁଦିନ ତାଙ୍କ ପାଖରେ ମଟନ୍‌ ପହଂଚାଇବାର ତାଗିଦ୍‌ କରିଥିଲେ । ମାଗଣାରେ ଦୈନିକ ମଟନ୍‌ ଦେଲିନି ବୋଲି ଆଜି ବୁଲଡୋଜର ଚଲାଉଛନ୍ତି ।
ଲୋକମାନେ କିଶୋରବାବୁଙ୍କ ହିନସ୍ତାକୁ ଦେଖି ମଉନ ରହିଥିଲେ । ମାତ୍ର କିଶୋରବାବୁଙ୍କ ଦୋକାନରୁ ମଟନ୍‌ ଖାଉଥିବା କୁକୁର ପଲ କିନ୍ତୁ ତୀବ୍ର ପ୍ରତିବାଦ କରିଥିଲେ । ସତେ ଯେମିତି କୁକୁର ପଲ ରହିରହି ବିଏମ୍‌ସି ଓ ବିଡିଏ ବାଲାଙ୍କୁ କହୁଥିଲେ, ତମେ ଆମ ଭାତହାଣ୍ଡି ଉପରେ ବୁଲଡୋଜର ଚଲାଇଦେଲ । ତମକୁ ଧର୍ମ ସହିଲେ ହେଲା ।