ଦଳେଇଡିହି ଗ୍ରାମ ଜଙ୍ଗଲରେ ଥିବା ଏକ ଅଚଳ କୂଅରୁ ଗର୍ଭବତୀ ହାତୀର ମୃତ୍ୟୁ ଦେହ ଉଦ୍ଧାର।

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ବନାଞ୍ଚଳ ଓ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ସୀମା ବର୍ତ୍ତି ଶରଣ୍ଡା ଜଙ୍ଗଲ ଅନ୍ତର୍ଗତ ଦଳେଇଡିହି ଗ୍ରାମ ଜଙ୍ଗଲ ନିକଟରେ ଥିବା ଏକ ଅଚଳ କୂଅ ମଧ୍ୟରୁ ଏକ ଗର୍ଭବତୀ ହାତୀର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଆଜି ସକାଳୁ ଶାଗ ଚାଷ କରିଥିବା ଜମିକୁ ଜଣେ ସ୍ଥାନୀୟ ବାସିନ୍ଦା କୂଅରୁ ପାଣି ମଡାଇବା ପାଇଁ ଯାଇଥିବା ସମୟରେ ଏକ ହାତୀ କୂଅ ମଧ୍ୟରେ ପଡ଼ିଥିବା ଦେଖିବାକୁ ପାଇଥିଲା।

ପରେ ଉକ୍ତ ବିଷୟରେ ସ୍ଥାନୀୟ ସରଗଡା ବନାଞ୍ଚଳ କାର୍ଯ୍ୟାଳୟ କୁ ଖବର ଦେବା ପରେ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର ଘଟଣାସ୍ଥଳରେ ପହଂଚି ହାତୀଟିକୁ ଉଦ୍ଧାର କରିବା ପାଇଁ ଯଥା ଶୀଘ୍ର ପ୍ରୟାସ ଆରମ୍ଭ କରିଥିଲେ।ପରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ସମେତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଏସିଏଫ ନବୀନ ଚନ୍ଦ୍ର ନାଏକ,ଏସିଏଫ ବୈଦ୍ୟନାଥ ମାଝୀ, ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର, ରାଇରଙ୍ଗପୁର ଭାରାକ୍ରାନ୍ତ ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ ଏବଂ ବନ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚିବା ସହିତ କୂଅ ମଧ୍ୟରୁ ହାତୀକୁ ଉଦ୍ଧାର କରିଥିଲେ। ପରେ ବିଜାତଳା ବ୍ଲକ ପ୍ରାଣୀ ଚିକିତ୍ସାଳର ଅଧିକାରିଣୀ ହାତୀକୁ ମୃତ ଘୋଷଣା କରିବା ସହିତ ହାତୀଟିର ଶବ ବ୍ୟବଚ୍ଛେଦ କରିଥିଲେ। ହାତୀ ର ବୟସ ୮ ରୁ ୯ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି।

ତେବେ ଗତକାଲି ରାତିରେ ୬ ଗୋଟି ହାତୀ ଧାନ ଖାଇବା ନିମନ୍ତେ ପାହାଡ଼ରୁ ଅହ୍ଲାଇବା ସମୟରେ ସେଥିମଧ୍ୟରୁ ଉକ୍ତ ଗର୍ଭବତୀ ହାତୀଟି କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗର୍ଭବତୀ ହାତୀର ଦୁଃଖଦ ପୂର୍ଣ୍ଣ ମୃତ୍ୟୁ ଘଟଣାରେ ପରିବେଶିତ ମାନଙ୍କ ମଧ୍ୟରେ ଦୁଃଖର ଛାୟା ପରିଲକ୍ଷିତ ହୋଇଛ।