ବିଷାକ୍ତ ଖାଦ୍ୟ ଖାଇ କାକବନ୍ଧ ଆଶ୍ରମର ଛାତ୍ରୀମୃତ୍ୟୁ ଘଟଣା : ବନ୍ଧା ହେଲେ ସାତଜଣ
ବାଳିଆ ଛାଡି ଦାଣ୍ଡିଆ ଧରି ଆତ୍ମରକ୍ଷା କରୁଛି ପୋଲିସ ବୋଲି ଚର୍ଚ୍ଚା
ଘଟଣାସ୍ଥଳକୁ ସ୍ବର୍ଗରଥ ନେଇ ଉତ୍ତେଜନାକୁ ପ୍ରତ୍ସାହନ ଯୋଗାଇ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୪୬ ଜଣ ଅନ୍ତେବାସୀ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିଲା ବେଳେ ରୂପାଲି ବେସ୍ରା ନାମକ ଜଣେ ଛାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୃତ ଛାତ୍ରୀ ରୂପାଲିଙ୍କ ମରଶରୀର ଆଶ୍ରମ ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଵେ ଘଟଣାସ୍ଥଳରେ ଉପସ୍ଥିତ ଏବଂ ଦାୟିତ୍ୱରେ ଥିବା ଅଧିକାରୀ ସ୍ଥିତି ସମ୍ପର୍କରେ ଅବଗତ ଥିବା ସତ୍ତ୍ୱେ ଦାୟିତ୍ୱହୀନ ଭାବେ ଛାତ୍ରୀର ମୃତଦେହ ଥିବା ସ୍ବର୍ଗରଥ ଘଟଣାସ୍ଥଳକୁ ନେଇ ଉତ୍ତେଜନାକୁ ପ୍ରୋତ୍ସାହନ ଯୋଗାଇବା ପଛରେ କୋଉ ମହତ ଉଦ୍ଦେଶ୍ୟ ଥିଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଉଛି l ମାତ୍ର ସ୍ବର୍ଗରଥ ଘଟଣାସ୍ଥଳକୁ ଯାଇନଥିଲେ ସୃଷ୍ଟି ହୋଇଥିବା ଏଭଳି ଏକ ଅପ୍ରତ୍ୟାଶିତ ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା l କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ଏଭଳି ଘଟଣାକୁ ନିମନ୍ତ୍ରଣ ଦେଇଥିଲା ବୋଲି ଏବେ ଆଲୋଚନା ହେଉଛି l ତେଵେ ଆଇନ ହାତକୁନେଇ ଯଦି ଲୋକମାନେ ବନ୍ଧା ହେବେ ସେକ୍ଷେତ୍ରରେ ସ୍ବର୍ଗରଥ ଘଟଣାସ୍ଥଳକୁନେଇ ନିଆଁରେ ଘିଅ ଢାଳିଥିବା ଅଧିକାରୀ ବାଦ ପଡିବେ କାହିଁକି ବୋଲି ଚର୍ଚ୍ଚା ଏବେ ଜୋର ଧରିଥିବା ଲକ୍ଷ୍ୟ କରାଯାଉଛି l
ସେହିପରି ଏଘାଟଣାକୁନେଇ ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଥମେ ଗିରଫ କରିବା ବଦଳରେ ଯୋଉମାନେ ସୁଅରେ ଭାସି ଯାଇଛନ୍ତି ସେଭଳି ସାଧାରଣ ଲୋକଙ୍କୁ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଉଛି l ଯାହା ଉପର ମହଲରେ ରାଜନୀତି ହୋଇ ବାଳିଆ ଛାଡି ଦାଣ୍ଡିଆ ଶିକାର ପାଇଁ ଯୋଜନାବଦ୍ଧ ଭାବେ ଏଭଳି ପଦକ୍ଷେପ ନେଉଛି ପୋଲିସ ବୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି l ଏଠାରେ ପ୍ରଶ୍ନ ଉଠୁଛି ମୃତଦେହ ଥିବା ସ୍ବର୍ଗରଥ ଘଟଣାସ୍ଥଳକୁ ଯିବା
ଫଳରେ ଲାଗି ରହିଥିବା ଉତ୍ତେଜନା ବୃଦ୍ଧି ପାଇବା ସହିତ ଉତ୍ତେଜିତ ଅବସ୍ଥାରେ ଥିବା ଉପସ୍ଥିତ ଲୋକେ ପୋଲିସ ଉପରକୁ ଟେକା ପଥର ମାଡ଼ କରିବା ସାଙ୍ଗକୁ ପେଟ୍ରୋଲ ବମ ଫିଙ୍ଗିଥିଲେ ଏବଂ ଏଥିରେ ରାସଗୋବନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସେହିପରି ମୃତ ଛାତ୍ରୀ ଥିବା ଗାଡିକୁ ଦୀର୍ଘ ୧୭ ଘଣ୍ଟା ଧରି ଅଟକ ରଖା ଯାଇଥିଲା। ଉକ୍ତ ଘଟଣାକୁନେଇ ଥାନାରେ ଘଟଣାରେ ସମ୍ପୃକ୍ତ ବହୁ ଲୋକଙ୍କ ନାମରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ଆଜି ସାତଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ମାନେ ଉକ୍ତ ଥାନା ଅଧୀନ ବଧିମୁଁହା ଗ୍ରାମର ଭୁଲା ମୁର୍ମୁ,ସୁରେନ୍ଦ୍ରନାଥ ମାର୍ଣ୍ଡି, ବିଦ୍ୟାଧର ସାମଲ,ବଣକାଟି ଗ୍ରାମର ଲୁଗୁ ମୁର୍ମୁ ଏବଂ ପ୍ରହରରାଜପୁର ଗ୍ରାମର ଲିପୁନ ବେହେରା। ସେହିପରି ଲୋକଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିବା ପାଇଁ ବ୍ୟବହୃତ ହୋଇଥିବା ଦୁଇଟି ଗାଡିକୁ ମଧ୍ୟ ଜବତ କରିବା ସହିତ ଡ୍ରାଇଭର ଦିଲୀପ କୁମାର ମାର୍ଣ୍ଡିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ତେଵେ ପୋଲିସ ତାର ନିରପେକ୍ଷତା ଦେଖାଇ ଦାଣ୍ଡିଆ ଧରିବା ବଦଳରେ ଅଭିଯୁକ୍ତ ବାଳିଆ ଧରି ବାହାଦୂରୀ ଦେଖାଇବାର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ଜୋର ଧରିଥିବା ଲକ୍ଷ୍ୟ କରାଯାଉଛି l ସେହିପରି ଘଟଣାସ୍ଥଳକୁ କୋଉ ପରିସ୍ଥିତିରେ କାହିଁକି ଏବଂ କିଏ ନେଲା ସ୍ବର୍ଗରଥ ତାର ମଧ୍ୟ ଯାଞ୍ଚ କରାଯାଇ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି l ତେଵେ ଆଗକୁ ପୋଲିସ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା l