ଟାଉଟରଙ୍କ କଥାରେ ପଡ଼ି ନବୀନ ହଲାପଟା

କ’ଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର: କ’ଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଶାସନ କରିବା ପାଇଁ ମୁଣ୍ଡରେ ମଗଜ ନାହିଁ ବୋଲି ପାଂଚଟି କାଢୁଆ ଟାଉଟରଙ୍କୁ ସାଉଁଟି ଧରିଛନ୍ତି । ହେଲେ ସେମାନଙ୍କ ବୁଦ୍ଧି ମାଗିଆଣିଲେ ସୁଡୁକାଏ ଭଳି ମନେହେଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଧାଇଁଗଲେ କେନ୍ଦୁଝର, ଘୋଷଣା କରିଦେଲେ ଧରଣୀଧର ବିଶ୍ୱବିଦ୍ୟାଳୟ । ପୁଣି ଧାଇଁଗଲେ କୋରାପୁଟ, ଘୋଷଣା କରିଦେଲେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ।

ପୁଣି ଧାଇଁଗଲେ ଉପକୂଳ ଜିଲ୍ଲା ପୁରୀକୁ । ଖୋଲିଦେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଓହୋ, କି କରତାଳି । ଚାରିଆଡେ଼ ଆମ ଗର୍ବ ‘ଶଙ୍ଖ’ । ଶଙ୍ଖ ଫୁଙ୍କିଲେ କି ହେବ, ତିନୋଟି ଯାକ ବିଶ୍ୱବିଦ୍ୟାଳୟ କିପରି ଚାଲିବ; ତାକୁ ନେଇ ମନ୍ଥନ ଚାଲିଛି । ଶୁଣିବାକୁ ମିଳିଛି, ତିନୋଟି ଯାକ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଯିବା କଥା ବିରାଟ ଭକୁଆ ।ସାଢେ଼ ଚାରିକୋଟି ଓଡ଼ିଆଙ୍କୁ ବୋକା ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପାଂଚଟି ଟାଉଟର ।

ତିନୋଟି ଯାକ ବିଶ୍ୱବିଦ୍ୟାଳୟରେ ଓଏସ୍‌ଡି ପଦବୀ ଖାଲି ପଡ଼ିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଦୀର୍ଘଦିନ ହେବ ଓଏସ୍‌ଡି ପଦବୀ ଖାଲି ପଡ଼ିଛି । ତା’ ସହିତ ଭିତିଭୂମି ନିର୍ମାଣ କାମ ଅଧା ରହିଛି । ଧରଣୀଧର ଓ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରାଯିବା ଏବେ ସମ୍ଭବ ନୁହେଁ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ପ୍ରମୁଖ ପଦବୀ ପାଇଁ ନିଯୁକ୍ତ ପ୍ରକ୍ରିୟା ସରିଛି । ଅଟକିଛି ଓଏସ୍‌ଡି ନିଯୁକ୍ତି । ୪୭ ଏକର ପରିମିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୭ଟି ପିଜି ଓ ୧୯ଟି ୟୁଜି ଚାଲିବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ମାତ୍ର ୮ କିମି ଦୂରରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସଟିକୁ ଧରଣୀଧର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରାଯିବା କଥା ଆଲୋଚିତ ହେଉଛି ।