ମୁଖ୍ୟମନ୍ତ୍ରୀ ହେବା ପରଠାରୁ କାହାକୁ ଟଙ୍କାଟିଏ ଦେଇନାହାନ୍ତି ନବୀନବାବୁ

ବଢ଼ିଯାଇଛି ଭିକାରିଙ୍କ ଶ୍ରେଣୀ ବିଭାଗ ତାଲିକା..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆଜିସୁଦ୍ଧା ନବୀନ ପଟ୍ଟନାୟକ କୌଣସି ଭିକାରିକୁ ଟଙ୍କାଟିଏ ଦେବାର କେହି ଦେଖିନାହାନ୍ତି । ୟା’ର ମାନେ ନୁହେଁ ଯେ ଭୁବନେଶ୍ୱରରେ କୌଣସି ଭିକାରି ନାହାନ୍ତି କି ନବୀନବାବୁଙ୍କ ଆଖିରେ ଭିକାରି ପଡୁନାହାନ୍ତି ।

ଗତ ୨୪ ବର୍ଷ ଭିତରେ ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ଗରିବଙ୍କ ସଂଖ୍ୟାକୁ ଟପିଯାଇଛି । ବିଶେଷ କରି କରୋନା ପରଠାରୁ ଭିକାରୀଙ୍କ ସଂଖ୍ୟା ଶତକଡା ୩୦ ପ୍ରତିଶତ ବଢ଼ିଯାଇଛି । ବଢ଼ିଯାଇଛି ଭିକାରିଙ୍କ ଶ୍ରେଣୀ ବିଭାଗ ତାଲିକା । ଭୋଟମଗା ଭିକାରୀଙ୍କଠାରୁ ଆରମ୍ଭ କରି ଟଙ୍କିକିଆ ଚାଉଳ ମାଗୁଥିବା ଭିକାରୀ; ବ୍ୟବସାୟ ପାଇଁ ଜମି ମାଗୁଥିବା ଶିଳ୍ପପତି ଭିକାରୀଠାରୁ ଆରମ୍ଭ କରି ପେଟ ପାଇଁ ରାସ୍ତାକଡ଼ରେ ଉଠା ଦୋକାନ ପାଇଁ ଖାଲି ଜାଗାଟିଏ ମାଗୁଥିବା ଭିକାରୀଙ୍କ ଭିତରେ ଆକାଶ ପାତାଳ ତଫାତ୍‌ ରହିଛି ।

ସବୁ ବିଭାଗର ଭିକାରୀଙ୍କ ସଂଖ୍ୟାକୁ ଏକାଠି କରିଦେଲେ, ରାଜ୍ୟରେ ବସବାସ କରୁଥିବା ଭିକାରୀଙ୍କ ସଂଖ୍ୟା ୩ କୋଟି ହେବ । ଅନ୍ୟ ଦୃଷ୍ଟିରୁ ଦେଖିଲେ, ରାଜ୍ୟରେ ସ୍ୱାଭିମାନୀ ଖଟିଖିଆ ଜନତାଙ୍କ ସଂଖ୍ୟା ଦେଢ଼କୋଟି ହେବ ।
ବିଭିନ୍ନ ଶ୍ରେଣୀର ଭିକାରୀଙ୍କ ଭିତରୁ ଭୋଟମଗା ଭିକାରୀମାନେ ଟିକେ ଉଚ୍ଚଶ୍ରେଣୀର ।

ଭୋଟମଗା ଭିକାରୀମାନେ ନିର୍ବାଚନ ସମୟରେ ଭୋଟରଙ୍କୁ ଅଯାଚିତ ସେବା ପ୍ରଦାନ କରିଥାନ୍ତି; ନିର୍ବାଚନରେ ଜିତାପଟ ହାସଲ କରିବା ପରେ ଭୋଟରଙ୍କ ରକ୍ତମାଂସ ଝୁଣିଥାନ୍ତି । ଉଚ୍ଚକୋଟୀର ଭିକାରୀ ପଲ ମାଛତେଲରେ ମାଛ ଭାଜିବା ନୀତିକୁ ଉଚିତ ମଣନ୍ତି । ଏହି ଶ୍ରେଣୀର ଭିକାରୀ ପକେଟରୁ କାହାକୁ ଟଙ୍କାଟିଏ ଦେବାକୁ କୁଣ୍ଠାବୋଧ କରନ୍ତି । ଟଙ୍କାଟିଏ ଦେବାକୁ ଯାଇ ଯୋଜନାଟିଏ ତିଆରି କରି ରାଜକୋଷକୁ ବ୍ୟବହାର କରିଥାନ୍ତି ।