ଦୁର୍ଗାପୂଜା ପାଇଁ ଟ୍ୱିନ୍‌ସିଟିରେ ନାଇଟ୍‌ କର୍ଫ୍ୟୁ, ରାତି ୮ଟାରୁ ସକାଳ ୫ଟା ଯାଏ ବଳବତ୍ତର

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଆସନ୍ତା ସୋମବାର ଠାରୁ ଟ୍ୱିନ୍‌ସିଟି ଭୁବନେଶ୍ୱର କଟକରେ ନାଇଟ୍‌ କର୍ଫ୍ୟୁ ଲାଗୁହେବ। ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁକରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ତେବେ ଯେଉଁମାନେ ନିୟମ ଉଲ୍ଲଘଂନ କରି ଅମାନିଆ ହେବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକସ୍ଥଳେ ଗିରଫ କରାଯିବ ବୋଲି ସେ କହିଛନ୍ତି।

ପାର୍ବଣକୁ ଦୃଷ୍ଟିରେ ରଖି ସେ ଆହୁରି କହିଛନ୍ତି, ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜୀବନ ଆଗ, ପାର୍ବଣ ପଛ। ଏହି ଧାର୍ଯ୍ୟ କରାଯାଇଥିବା ନିୟମକୁ ନେଇ ଆମକୁ ଚଳିତବର୍ଷ ଦୁର୍ଗାପୂଜା ପାଳନ କରିବାକୁ ପଡିବ। ପାର୍ବଣକୁ ଦୃଷ୍ଟିରେ ରଖି ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଲିସ ପ୍ରସ୍ତୁତ ହୋଇଛି। ରାତି ୮ଟା ପରେ ଦୋକାନ ବଜାର, ମଲ୍‌, ବାର ଆଦି ସବୁ ବନ୍ଦ ରହିବ। ସେହିପରି ପୂଜାମଣ୍ଡପ ଚାରିପଟେ କପଡ଼ା ଢଙ୍କା ଯିବା ସହ ୭ଜଣରୁ ଅଧିକ ଲୋକ ମଣ୍ଡପରେ ନରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ।

ମହାମାରୀ କୋଭିଡ୍ କଟକଣା ମଧ୍ୟରେ ଭସାଣି କିପରି ଭାବେ ସୁରୁଖୁରରେ କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ। ତେବେ ଅତୀତରେ ଟ୍ୱିନ୍‌ସିଟି ବାସୀ ଯେପରି ଭାବେ କୋଭିଡ୍ କଟକଣା ନାଇଟ୍ କର୍ଫ୍ୟୁକୁ ପାଳନ କରୁଥିଲେ ଚଳିତ ଥର ସମାନ ଭାବେ କଡ଼ାକଡ଼ି ପାଳନ କରିବାକୁ ସିପି ପରାମର୍ଶ ଦେଇଛନ୍ତି। ଏନେଇ ପ୍ରତି ଛକରେ ପୁଲିସ ଟିମ୍ ମୁତୟନ ହେବେ। ରାତି ୮ଟା ପରେ ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ। ଯଦି ଅଯଥାରେ କେହି ବୁଲୁଥିଲେ, ତା’ ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ କରୋନା ସଂକ୍ରମଣ ଅଧିକାଂଶ ସ୍ଥାନରେ ଚିହ୍ନଟ ହେବାରେ ଲାଗିଛି। ସୂଚନା ଥାଉକି ଟ୍ୱିନ୍‌ସିଟି ବାସୀଙ୍କୁ ସାମଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ପ୍ରିୟଦର୍ଶୀ ଅନୁରୋଧ କରିଛନ୍ତି ।