ଓଡ଼ିଶାରେ ୪ହଜାର କୋଟି ଟଙ୍କାର ୧୯ଟି ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ନିତିନ ଗଡ଼କରୀ

ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ଭୁବନେଶ୍ୱର ଠାରେ ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ମୋଟ୍‌ ୧୫୪ କିଲୋମିଟର ଲମ୍ବ ଏହି ୧୯ଟି ସଡ଼କ ପ୍ରକଳ୍ପ ରାଜ୍ୟରେ ସଡ଼କ ଯୋଗାଯୋଗକୁ ଉନ୍ନତ କରିବା ସହିତ ଓଡ଼ିଶାର ସମୃଦ୍ଧିରେ ଏକ ନୂତନ ଯୁଗର ଶୁଭାରମ୍ଭ ହେବ । ଏହି ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଆଜି ଲୋକାର୍ପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବଅଁରପାଳ-ଗୋଡ଼ିବନ୍ଧ ଏବଂ ୧୪୯ ଏବଂ ୫୩ ନମ୍ବର ଜାତୀୟ ରାଜପଥ କାମାକ୍ଷାନଗର ସେକ୍ସନର ୪-ଲେନ୍‌ ପ୍ରଶସ୍ତିକରଣ ଫଳରେ ଅନୁଗୁଳ, ତାଳଚେର ଏବଂ ଡୁବୁରୀ ମଧ୍ୟରେ ଯୋଗାଯୋଗରେ ସୁଧାର ଆସିବ । ବାଲିକୁଦା, ଶିଖରପୁର ଏବଂ ବଡ଼ଚଣାରେ ବାହନ ଅଣ୍ଡରପାସ୍‌ ନିର୍ମାଣ ଫଳରେ ଯାତାୟାତ ଅଧିକ ସୁଗମ ହେବ ।

ରାଜ୍ୟର ବିକାଶକୁ ନୂଆ ଗତି ଦେବା ଉଦ୍ଦେଶ୍ୟରେ ଆଜି ୧୭ଟି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିମଧ୍ୟରୁ ରେତ, ମହାନଦୀ, ତେଲ, ହାତୀ ଏବଂ ଶଗଡ଼ା ନଦୀ ଉପରେ ୬ଟି ସେତୁ ନିର୍ମାଣ କରାଯିବ । ଏନ୍ଏଚ୍-୪୯ର ବାଙ୍ଗିରିପୋଷି ଘାଟ ଖଣ୍ଡରେ ୫ଟି ଇୟୁପି ଏବଂ ୧୪ଟି ଏୟୁପି ନିର୍ମାଣ ହେବା ଦ୍ୱାରା ବନ୍ୟଜନ୍ତୁଙ୍କ ସୁଗମ ଓ ନିରାପଦ ଯାତ୍ରା ଏବଂ ଅତିକ୍ରମ ସୁବିଧା ହେବ । ଜାତୀୟ ରାଜପଥ-୧୬ର କଟକରୁ ଇଚ୍ଛାପୁରମ ମଧ୍ୟରେ ଥିବା ୧୫ଟି ବ୍ଲାକ ସ୍ପଟର ସ୍ଥାୟୀ ସୁଧାର ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ ।

ଏହାବ୍ୟତୀତ ଟିଟିଲାଗଡ଼ ଏବଂ ଧର୍ମଗଡ଼ ବାଇପାସ ନିର୍ମାଣ ଦ୍ୱାରା ସହର ମଧ୍ୟରେ ଟ୍ରାଫିକ ଭିଡ଼ ହ୍ରାସ ପାଇବ । ପଳାସୁଣୀ ଠାରେ ଗଙ୍ଗୁଆ ନଦୀ ଉପରେ ଅତିରିକ୍ତ ୨ ଲେନ ବିଶିଷ୍ଟ ସେତୁ ଯୋଗାଯୋଗକୁ ସହଜ କରିବ । ଦାରିଙ୍ଗିବାଡ଼ି ଘାଟୀ ପ୍ରଶସ୍ତିକରଣ ପାଇଁ ୭୨୦ କୋଟି ଟଙ୍କା ନିବେଶ କରାଯିବ । ୫୯ ନମ୍ବର ଜାତୀୟ ରାଜପଥର ଏହି ୨୭ କିମି ଦୀର୍ଘ ମାର୍ଗର ପ୍ରଶସ୍ତିକରଣ ଫଳରେ ଦାରିଙ୍ଗିବାଡ଼ି ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ସୁଧାର ଆସିବ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ରାଜପଥ ନିର୍ମାଣ ଦ୍ୱାରା ଓଡ଼ିଶାର ପଞ୍ଚମୁଖୀ ବିକାଶ ଲାଗି ଭାରତ ସରକାର ସଂକଳ୍ପବଦ୍ଧ । ରାଜ୍ୟର ବିକାଶ ପାଇଁ ଜଳ, ଶକ୍ତି, ପରିବହନ ଏବଂ ଯୋଗାଯୋଗ ଭିତ୍ତିଭୂମିର ଉନ୍ନତିକରଣ ଜରୁରୀ । କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଜ୍ୟରେ ବନ୍ଦର, ଖଣିଜ ସମ୍ପଦ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଓଡ଼ିଶାରେ ସବୁ ପ୍ରକାରର ରାଜପଥ ପ୍ରକଳ୍ପର ଖର୍ଚ୍ଚକୁ ଦେଖିଲେ ବର୍ତ୍ତମାନ କେନ୍ଦ୍ର ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିର୍ମାଣ କାମ ଜାରି ରଖିଛନ୍ତି । ଏବେ ସୁଦ୍ଧା ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାମ ଶେଷ ହୋଇଛି ।

ବର୍ତ୍ତମାନ ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ରହିଛି ଏବଂ ଭବିଷ୍ୟତରେ ପାଖାପାଖି ୭୫ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି । ସେହିପରି ପ୍ରାୟ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଚାଲିଛି । ଏହାଛଡ଼ା ୬୫୦ କିଲୋମିଟର ଦୈର୍ଘ୍ୟ ୨୭ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ଦିଆସରିଥିବା ଶ୍ରୀ ଗଡ଼କରୀ ସୂଚନା ଦେଇଥିଲେ । ଆସନ୍ତା ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର କାମ ହେବ ଏବଂ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ପ୍ରସ୍ତୁତ ହେବ ବୋଲି ସେ କହିଥିଲେ ।

ସଭାରେ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀ ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ । ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ । ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ । ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ, ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଅନ୍ୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ ।