ଏଥର ବିଧାନସଭାରେ ରହିବନି ପ୍ରଶ୍ନକାଳ

ଭୁବନେଶ୍ୱର (ଏସ୍ ନ୍ୟୁଜ): ବିଧାନସଭାର ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ । କୋଭିଡ ଗାଇଡଲାଇନ ସହ ଦିନକୁ ସାଢେ ଚାରିଘଂଟା ପାଇଁ ଚାଲିବ ଗୃହ । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, କୋଭିଡ ପରିସ୍ଥିତି ପାଇଁ ପ୍ରଶ୍ନ ପଚାରିବା ବନ୍ଦ ହେବ ।

ତେବେ ୨୦ ତାରିଖରେ ଅଧିବେଶନ ଆରମ୍ଭ ଦିନ ହିଁ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ସର୍ବଦଳୀୟ ବୈଠକରେ ଅଧିବେଶନ ପରିଚାଳନା ନେଇ ଆଲୋଚନା ହୋଇଛି ।

ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ। ପ୍ରଶ୍ନ ନ ନେବା ଆଗରୁ ପ୍ରଶ୍ନକାଳ ବାତିଲ କହିବା ସମ୍ବିଧାନ ବିରୋଧୀ ବେଆଇନ୍ କାମ, ଆମେ ଏହାର ଦୃଢ ପ୍ରତିବାଦ କରୁଛୁ ।ସେହିପରି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ କହିଛନ୍ତି, ବିଧାନସଭା ୪ ଘଣ୍ଟା ଧରି ଚାଲିବ କିନ୍ତୁ କାହାକୁ କରୋନା ହେବନାହିଁ। ଆଉ ପ୍ରଶ୍ନକାଳ ପାଇଁ ଅଧିବେଶନ ଘଣ୍ଟାଏ ବଢିଗଲେ କ’ଣ କରୋନା ସଂକ୍ରମଣ ହୋଇଯିବ?