ଜେଇ-ନିଟ୍: ପରୀକ୍ଷାର୍ଥୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଜେଇ-ନିଟ୍ ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ କେନ୍ଦ୍ର ସରକାର ନାହାନ୍ତି। ଏଣୁ ମହାମାରୀ ଭିତରେ ପିଲାଙ୍କ ସୁବିଧା ଲାଗି ଆଗୁଆ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ଦୁଇଟି ବଡ଼ ଘୋଷଣା କରିଛନ୍ତି।

ବନ୍ୟା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଯାତାୟାତ ଠପ୍ ହୋଇଛି। କରୋନା ଯୋଗୁଁ ଅନେକ ଆଡ଼େ ଗାଡ଼ି ମୋଟର ଠିକ ରେ ଚଳାଚଳ କରୁନି। ଏଣୁ ଯେଉଁଠି ଏନେଇ ସମସ୍ୟା ରହିଛି ସେଠାରେ ପରୀକ୍ଷାର୍ଥୀଙ୍କ ପାଇଁ ଯିବା ଆସିବା ସୁବିଧା କରାଇବେ ସରକାର। ଏଥିପାଇଁ ୩୦ ଜିଲ୍ଲାରେ ୩୦ ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ମିଳିଛି। ହେଲ୍ପଲାଇନ ନମ୍ବର ଜାରି ହୋଇଛି। ତେବେ ସରକାରଙ୍କ ସୁବିଧା ନେବାକୁ ଚାହୁଁଥିବା ପରୀକ୍ଷାର୍ଥୀ ୩୧ ତାରିଖ ପୂର୍ବରୁ ଜଣେଇବା ଦରକାର ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ପାଇଁ କିଛି କଟକଣା ଲାଗୁ ହେବନାହିଁ। ସେପ୍ଟେମ୍ବର ୧ ରୁ ୬ ଯାଏଁ ଜେଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ପରୀକ୍ଷା କେନ୍ଦ୍ର ଥିବା ସହର ମାନଙ୍କରେ ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୮ ମଧ୍ୟରେ କୌଣସି ଲକଡାଉନ କିମ୍ବା ସଟଡାଉନ ଲାଗୁ ହେବ ନାହିଁ। ସେହିପରି ନିଟ୍ ପରୀକ୍ଷା ପାଇଁ ଅଗଷ୍ଟ ୧୨ ରୁ ୧୬ ଯାଏଁ ସମାନ ସୁବିଧା ଉପଲବ୍ଧ ହେବ। ଓଡ଼ିଶାର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ପିଲାଙ୍କ ପାଇଁ କୌଣସି ଟ୍ରାଫିକ କଟକଣା ରହିବନି। ଆଡ଼ମିଟ କାର୍ଡ଼ ଦେଖାଇ ସମସ୍ତେ ଗନ୍ତବ୍ୟସ୍ଥଳକୁ ଅଚିନ୍ତାରେ ଯାଇପାରିବେ। ସମାନ ଭାବେ ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ରୋକାଯିବନି। ବାକି ପରୀକ୍ଷା କେନ୍ଦ୍ରରେ କିପରି କୋଭିଡ ଗାଇଡ଼ଲାଇନ ପାଳନ ହେବ ସେନେଇ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବେ ବୋଲି ଏସସାରସି ପ୍ରଦୀପ ଜେନା କହିଛନ୍ତି।