ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

ବରଗଡ,(ଏସ୍ ନ୍ୟୁଜ୍)ତା ୨୮/୮: ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ଧରି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶାର ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇ ଆସିଛି । ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି କେନ୍ଦ୍ରକୁ ଉଠାଇନେବା ପ୍ରୟାସ ବିରୋଧରେ ସ୍ୱର ଉଠାଇଛି ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ।

ଏହି ମର୍ମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଶନିବାର ଦିନ ଏକ ସ୍ମାରକପତ୍ର ପ୍ରଦାନ କରିଛି ଓୟୁଜେ । ରବିବାର ଦିନ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶନିବାର ସଂଧ୍ୟାରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଓୟରୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବାକୁ ହେଉଥିବା ପ୍ରୟାସକୁ ନାପସନ୍ଦ କରାଯାଇଥିଲା । ପଶ୍ଚିମ ଓଡିଶାର ଭାବାବେଗ ପ୍ରତି ଏଭଳି ଉଦ୍ୟମ ଶକ୍ତ କୁଠାରଘାତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଦଳମତ ନିର୍ବିଶେଷରେ ଏହା ବିରୋଧରେ ପ୍ରକାଶ ପାଇଥିବା ଜନମତ ସହିତ ଓୟୁଜେ ନିଜକୁ ସାମିଲ୍ କରିବା ସହ ଏଭଳି ଉଦ୍ୟମରୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁରଙ୍କ ଉଦ୍ଦ୍ୟେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଦାୟିତ୍ୱରେ ଥିବା ସମ୍ବଲପୁର ପ୍ରକଳ୍ପ ଅଧିକାରୀ ସୁକାନ୍ତ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା ।

ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା ସହିତ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ କେନ୍ଦ୍ରଭାବେ ବିକଶିତ କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି । ପ୍ରତିନିଧି ଦଳରେ ଓୟୁଜେ ସଭାପତି ଶ୍ରୀ ମହାନ୍ତିଙ୍କ ସହ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରଭାତ ବେହେରା, ରାଜେଶ ବିଭାର, ରାଜ୍ୟ ଉପସଭାପତି ଉପନ ସାହୁ ଓ କିଶାନ ରାଉତ; ସମ୍ପାଦକ ଇଂଗିତ ପଣ୍ଡା, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ଜିଲ୍ଲା ଉପସଭାପତି ହେମନ୍ତ ରାଉତ, ରାଜେନ୍ଦ୍ର ନାୟକ, ଶରତ ପ୍ରଧାନ ଓ ଜୟନ୍ତ ଖଡିରତ୍ନ ପ୍ରମୂଖ ସାମିଲ୍ ହୋଇଥିଲେ ।