ପଞ୍ଚାୟତ ନିର୍ବାଚନ: କୋଭିଡ୍ କଟକଣାରେ ଭୋଟ୍ ଗ୍ରହଣ -EC

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବାକୁ ଯାଉଛି । ଯାହାକୁ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟି ମଧ୍ୟ ବୁଥ୍ ଅଭିମୁଖେ ବାହାରି ସାରିଛନ୍ତି ତେବେ ଆଜି ପଞ୍ଚାୟତ ମହାସଙ୍ଗ୍ରାମକୁ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ରାଜ୍ୟରେ ମୋଟ୍ ୯୧ ହଜାର ୯୧୩ ବୁଥ୍‌ରେ ଭୋଟିଂ ହେବାକୁ ରହିଛି ଏବଂ ଏହା ମଧ୍ୟରୁ ୧୩ ହଜାର ୭୮୫ ଟି ବୁଥ୍ ସମ୍ବେଦନଶୀଳ ବା ଉତ୍ତେଜନାମୂଳକ ବୁଥ୍ ରହିଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ସେହି ସବୁ ବୁଥ୍ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।

ଏହା ସହିତ ପ୍ରତିଟି ପଞ୍ଚାୟତରେ କୋଭିଡ୍ କଟକଣା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ । ପ୍ରତି ବୁଥ୍‌ରେ ୨୦୦ରୁ ୩୦୦ ଲୋକ ମତଦାନ କରିବେ । ଏବଂ ଯେଉଁମାନଙ୍କ ପାଖରେ କରୋନା ଲକ୍ଷଣ ରହିଛି ସେମାନେ ଶେଷରେ ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ଆସନ୍ତାକାଲି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନୀ ହିଂସା ଓ ଅନ୍ୟ ବିଶୃଙ୍ଖଳା ଏଡାଇବା ପାଇଁ ପ୍ରାୟ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ବୋଲି ସୂଚନା ରହିଛି ।