160×600
160×600

ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ପାଣ୍ଡିଆନ୍‌

ସବୁ ସମସ୍ୟାର ଏକମାତ୍ର ଚାବିକାଠି ଭିକେ

ଭୁବନେଶ୍ୱର: ଭିକେ କାର୍ତିକେୟନଙ୍କ ଭଳି ସଚିବଙ୍କୁ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକପ୍ରକାର ଚିନ୍ତାମୁକ୍ତ ଜୀବନ କାଟୁଛନ୍ତି । ଯାହା ସମସ୍ୟା ଆସିଲା ତାକୁ ପାଣ୍ଡିଆନଙ୍କ ଇଜଲାସକୁ ପଠାଇ ନବୀନବାବୁ ବେଫିକର । ରାଜ୍ୟ ସରକାରଙ୍କ ସବୁ ବିଭାଗ ଉପରେ ପାଣ୍ଡିଆନଙ୍କର ତୀକ୍ଷ୍ଣ ନଜର । କୋଉ ବିଭାଗରେ କୋଉ ଆଇଏଏସ୍‌ ଅଫିସରଙ୍କୁ କେତେ ଦିନ ପାଇଁ ଅବସ୍ଥାପିତ କରାଯିବ; କୋଉ ଜିଲ୍ଲା କୋଉ ଆଇଏଏସ୍‌ ଅଧିକାରୀଙ୍କ ଅଧୀନରେ କେତେ ଦିର ରହିବ, କୋଉ ଆଇପିଏସ୍‌ କୋଉ ଜିଲ୍ଲାକୁ କେତେ ଦିନ ପାଇଁ ଯିବେ । ସବୁର ଟିକିନିଖି ହିସାବ ପାଣ୍ଡିଆନଙ୍କ ପାଖରେ । ସେଇଥିପାଇଁ ତ ପାଣ୍ଡିଆନଙ୍କ ପାଖରେ ସବୁ ବିଧାୟକ, ମନ୍ତ୍ରୀ, କୁଜିନେତା, ଛାମୁଆ ନେତା, ଆଇଏଏସ୍‌, ଆଇପିଏସ୍‌, ଆଇସିଏସ୍‌ ନତମସ୍ତକ।

ମହାଦେବଙ୍କ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁମାନେ ଯେମିତି ବାସୁଆ ବଳଦ କାନରେ ଫିସଫିସ୍‌ କରି କିଛି ନକହିବା ପର୍ଯ୍ୟନ୍ତ ମହାଦେବ କିଛି ଶୁଣନ୍ତିନି । ଠିକ୍‌ ସେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯିବ ତ ଆଗ ପାଣ୍ଡିଆନଙ୍କ ପାଦୁକ ନେବାକୁ ପଡ଼ିବ । ପାଣ୍ଡିଆନଙ୍କ ଶୁଭଦୃଷ୍ଟି ପଡ଼ିନି ତ ନବୀନବାବୁଙ୍କ ଆଶୀର୍ବାଦ ମିଳିବନି।

କେବଳ ସେତିକି ନୁହେଁ, ନବୀନବାବୁଙ୍କ ବ୍ୟକ୍ତିଗତ କାମକୁ ତୁଲାଇବାରେ ମଧ୍ୟ ପାଣ୍ଡିଆନ ଆଗୁଆ । କିଛି ଲୋକ ଆମକୁ ପାଣ୍ଡିଆନଙ୍କ ଈର୍ଷାଳୁ କହି ସମାଲୋଚନା କରିପାରନ୍ତି । କିନ୍ତୁ ଆମେ ଯାହା ଦେଖୁଛୁ ସେଇଆ ଲେଖୁଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱାସ୍ଥ୍ୟାବସ୍ଥା ଯେମିତି । ସେ ସବୁ ସ୍ଥାନକୁ ଯାଇ ପାରୁନାହାନ୍ତି । ସରକାରୀ ପ୍ରକଳ୍ପଗୁଡ଼ିକର ବାସ୍ତବ ରୂପାୟନ କାମ ପାଣ୍ଡିଆନଙ୍କ ଉପରେ ଛାଡ଼ି ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ।

ପ୍ୟାରିମୋହନ ମହାପାତ୍ରଙ୍କ ହାତ ଛାଡ଼ିବା ପରେ ପାଣ୍ଡିଆନ ହିଁ ମୁଖ୍ୟମନ୍ତ୍ରୀଙ୍କର ଚଳନ୍ତି ପ୍ରତିମା ହୋଇ ରହିଛନ୍ତି । ମୁଖ୍ୟମନ୍ତ୍ରୀ କେତେବେଳେ ସିଗାର ଟାଣିବେ । ମୁଖ୍ୟମନ୍ତ୍ରୀ କେତେବେଳେ ଗାଧୋଇବେ । ମୁଖ୍ୟମନ୍ତ୍ରୀ କେତେବେଳେ ପୋଷାକ ବଦଳାଇବେ । ସବୁ କିଛି ଠିକ୍‌ ସମୟରେ କରିପାରୁଛନ୍ତି ପାଣ୍ଡିଆନ।

ପାଣ୍ଡିଆନଙ୍କ କଥା କାହିଁକି ଉଠିଲା, ତା’ ପଛର କାହାଣୀ ନ ଜଣାଇଲେ ସବୁ ପାଣିଚିଆ ହୋଇଯିବ । କେଶ କାଟିବାକୁ ସେଲୁନକୁ ଯାଇଥିଲି । ସେଲୁନବାଲା ଆଜ୍ଞା ପାଣ୍ଣିଆନଙ୍କ ପେପର ପଢ଼ନ୍ତୁ କହି ‘ସକାଳ’ଟିଏ ଧରାଇଦେଲା । ଆମେ ତ ରିପୋର୍ଟର । କ୍ଷୀରରୁ ପାଣି କାଢ଼ିବା ଆମ ନୀତି । ଖାସ ସେଇଥିପାଇଁ ସୁଯୋଗ ପାଇଲେ ଆମ ପିଠିରେ ଠେଙ୍ଗା ପାହାର ବସାଇବାକୁ ପୁଲିସବାବୁ ତୟାର । ପଚାରିଦେଲି, ପାଣ୍ଡିଆନ କୋଉ ଦିନଠାରୁ ‘ସକାଳ’ ମାଲିକ ହୋଇଗଲେଣି । ତହୁଁ ସେଲୁନବାଲା କହିଲେ, ହା ତେରିକି । ଆଉ କ’ଣ ରିପୋର୍ଟର ହେଇଛ । ‘ସକାଳ’ର ଭାଗ୍ୟବିଧାତା ଏବେ ପାଣ୍ଡିଆନ । ମଲିକବାବୁ ଖାଲି ମିଛରେ ମାଲିକ । ପ୍ରକୃତ ମାଲିକ ପାଣ୍ଡିଆନ ।  ନବୀନ ପଟ୍ଟନାୟକ ସିନା ମୁଖ୍ୟମନ୍ତ୍ରୀ । ମାତ୍ର ପାଣ୍ଡିଆନ୍‌ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ।