ପୋଲାଭରମ ନୁହେଁ ମହୁ ଫେଣା: ଜୋର ଯାହାର ମହୁ ତାହାର

ବେଳକୁ ବେଳ ଅଡୁଆ ହେଉଛି ପୋଲାଭରମ ପ୍ରକଳ୍ପ । ପୋଲାଭରମ ଅଡୁଆ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି । ତଥାପି ତା’ର ଅଡୁଆ ଗଣିତ ସମାଧାନ ହୋଇପାରୁନି । ଆଗାମୀ ୨୮ ତାରିଖରେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଜୁଟ ହେବାର ଅଛି । ସମାଧାନର ବାଟକୁ ସରଳ କରିବା ସମସ୍ତଙ୍କର ଉଦ୍ଦେଶ୍ୟ । ମାତ୍ର ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତିଗତି ଉପରେ ପୋଲାଭରମ ପ୍ରକଳ୍ପ ନିର୍ଭର କରୁଛି ।

ରାଜ୍ୟ ସରକାରକୁ ଦୀର୍ଘ ୨୪ ବର୍ଷ କାଳ ପରିଚାଳନା କରି ଆସୁଥିବା ଦଳ ବିଜେଡି ଆରମ୍ଭରୁ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆସୁଥିଲା । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ ଗ୍ରାମ ପୋଲାଭରମ ପାଣିରେ ବୁଡ଼ିଯିବ । ହଜାର ହଜାର ଆଦିବାସୀ ପରିବାର ଭିଟାମାଟି ହରାଇବେ । ଏଭଳି ନାନା କଥା ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଚି । ୟା’ ଭିତରେ ପୋଲାଭରମ ଜଳଭଣ୍ଡାର କ୍ଷମତା ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକ ଜଳକୁ ବୃଦ୍ଧି ପାଇଛି ।

ରାଜ୍ୟ ବିଧାନସଭାରେ ବିରୋଧୀ ଆସନରେ ବସି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛିଗୁଲାଉଥିବା ମୋହନ ଭାଇ ଏବେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ।

୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ସିରସ୍ତାରେ ଉପସ୍ଥିତ ରହି ମୋହନ ଭାଇ ପୋଲାଭରମ ପାଲାକୁ କିପରି ଭାବେ ପରିବେଷଣ କରିବେ, ତାହା ଜାଣିବା ପାଇଁ ବିଜେଡି ଆଗ୍ରହ ପ୍ରକାଶ କରିଛି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ରାଜ୍ୟବାସୀଙ୍କ ଦ୍ୱାହି ଦେଇ ବହୁତ କିଛି ବିଜେପିକୁ ଶୁଣାଇଛନ୍ତି । ଦଳଡିଅାଁ ନେତା ଭୃଗୁ ବକ୍ସିପାତ୍ର ଏବେ ବିଜେଡି ଭାଡ଼ିରେ ବସି ବିଜେପିକୁ ସମାଲୋଚନା କରିଛନ୍ତି । ମାତ୍ର ପ୍ରକୃତ କଥା ହେଉଛି ପୋଲାଭରମ ପ୍ରକଳ୍ପ ମାମଲାରେ ଉଭୟ ବିଜେଡି ଓ ବିଜେପି ବିଚରା ରାଜ୍ୟବାସୀଙ୍କୁ ବଳି ପକାଇ ଚାଲିଛନ୍ତି । ରାଜନୈତିକ ପଶାପାଲିରେ ପୋଲାଭରମ ଗୋଟିଏ ମହୁମାଛି ଫେଣା । ଜୋର ଯାହାର ଫେଣା ତାହାର ।