BJP : ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲଙ୍କ ମତରେ ପୂର୍ବ ସରକାର କାହାକୁ ବୁଝାଉଛି? ପୂର୍ବ ସରକାରଙ୍କ ଉପରେ ଦୋଷ ଲଦି ଦେଇ ୨୦୨୪ ନିର୍ବାଚନୀ ସଂକଳ୍ପପତ୍ରରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ଫେରାଇବାର ପ୍ରତିଶ୍ରୁତିକୁ ଏଡାଇ ଯାଇପାରିବନି ବିଜେପି । ଏଭଳି ମନ୍ତବ୍ୟ ପ୍ରଦାନ କରିଛି ହିନ୍ଦୁସ୍ଥାନ ଅଣସଂଗଠିତ ଶ୍ରମିକ ସଂଗଠନ (ହମ୍) । ବିଜେପି ମୁଖିଆ ମନମୋହନଙ୍କ ବୟାନ ଶୁଣିବା ପରେ ହମ୍ ଆବାହକ ସୀତାରାମ ବେହେରା କହିଛନ୍ତି, ମନମୋହନଙ୍କ ଭାଷାରେ ପୂର୍ବ ସରକାର କ୍ଷମତାରୁ ଯିବା ପରେ ଜୁନ ୪ ତାରିଖରୁ ୧୧ ତାରିଖ ଭିତରେ ସବୁ କାଗଜପତ୍ର ବୋହି ନେଇଯିବାକୁ ବସିଥିଲେ, ମାତ୍ର ବିଜେପି କର୍ମୀମାନେ ସିଆଇଏସ୍ଏଫ୍ ଜରିଆରେ ଟ୍ରକ ଅଟକାଇଲେ । ତେବେ ସେହି ଟ୍ରକଗୁଡ଼ିକରେ କ’ଣ ସବୁ ଥିଲା? ସେ ବିଷୟରେ ବିଜେପି କର୍ମୀମାନେ ଗଣମାଧ୍ୟମକୁ କିଛି କହିଲେନି ।
ଏବେ ମୋହନ ସରକାରକୁ ବର୍ଷେ ପୁରିବାକୁ ବସିଥିଲା ବେଳେ ମନମୋହନଙ୍କ ମନକୁ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ କଥା ମନେ ପଡ଼ିଗଲା ।
ପୂର୍ବ ସରକାର ସ୍ଥାନରେ ପୂର୍ବତନ ବିଜେଡି ସରକାର କହିବାକୁ ମନମୋହନଙ୍କ ଜିଭ ରାଜି ହେଲାନି କି? ତା’ର ଅର୍ଥ ବିଜେଡି ଭଳି ବିଜେପି ମଧ୍ୟ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଭୂଅାଁ ବୁଲାଇବାର ମତଲବ ରଖିଛି । ସୀତାରାମ କହିଛନ୍ତି, ମନମୋହନଙ୍କ ଭାଷାରେ ପୂର୍ବ ସରକାର ଗଠନ କରିଥିବା କର୍ପସ ପାଣ୍ଠି ଏବେ କୋଉଠି କୋଉ ଅବସ୍ଥାରେ ରହିଛି । ସେ ବିଷୟ ମନମୋହନ କୁହନ୍ତୁ । ନବୀନ ପଟ୍ଟନାୟକ ଯାହା ତାଙ୍କ ଅମଳରେ କରି ପାରିଲେନି, ଏବେ ମୋହନ ମାଝି ତାହା କରିକି ଦେଖାଇ ଦିଅନ୍ତୁ । ଚିଟ୍ଫଣ୍ଡ୍ ସଂସ୍ଥାର ବ୍ରାଣ୍ଡ୍ ଆମ୍ବାସାଡ଼ାର ସାଜିଥିବା ବିଜେଡ଼ି ନେତାମାନେ ଟଙ୍କା ଧରି ପାକିସ୍ତାନ ଅବା ବାଂଲାଦେଶ ପଳାୟନ କରିନାହାନ୍ତି । ମଙ୍ଗଳ ଅବା ଚନ୍ଦ୍ରକୁ ପଳାୟନ କରିନାହାନ୍ତି । ଆତଙ୍କୀଙ୍କୁ ଯଦି ପାତାଳରୁ ଖୋଜି ବାହାର କରିବାର ଦକ୍ଷତା ବିଜେପି ନିକଟରେ ରହିଛି । ତେବେ ପୂର୍ବ ସରକାରକୁ ଠାବ କରି ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯାଇ ପାରିବନି କାହିଁକି?
ସେମାନଙ୍କୁ ମାଡ଼ି ବସିବା, ଚିଟ୍ଫଣ୍ଡ୍ ସଂସ୍ଥା ମାଲିକଙ୍କ ଗୋପନ ପେଡ଼ିକୁ ଜବତ କରିବା ଓ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା କାମ ଚାଲୁ କରି ବିଜେପି କଥା କୁହାଳିଆ ବିଜେଡି ନେତା ଅରୁଣ ସାହୁଙ୍କ ମୁହଁ ଫୁଟାଣିକୁ ବନ୍ଦ କରନ୍ତୁ । ସୀତାରାମ କହିଛନ୍ତି, ଯୋଉ ବିଜେପି ବିରୋଧୀ ଆସନରେ ବସି ‘ଅଣଓଡ଼ିଆ ଅଫିସରଙ୍କ ବଳରେ ଓଡ଼ିଆଙ୍କୁ ଶାସନ କରୁଛନ୍ତି ନବୀନ ପଟ୍ଟନାୟକ ବୋଲି ଅଭିଯୋଗ କରୁଥିଲା । ସେହି ବିଜେପି ଏବେ କ୍ଷମତାକୁ ଯାଇ ଅଣଓଡ଼ିଆ ଅଫିସରଙ୍କ ବଳରେ ଓଡ଼ିଆଙ୍କୁ ଶାସନ କରୁଛନ୍ତି କି ନାହିଁ? ସରକାର ବଦଳିଛି ମାତ୍ର ସରକାରୀ ଦଳର ଆଭିମୁଖ୍ୟ ବଦଳିନି । ପୂର୍ବଭଳି ଓଡ଼ିଆଙ୍କ ଭାଗ୍ୟଡୋରିକୁ ଅଣଓଡ଼ିଆ ଅଫିସରଙ୍କ ହାତରେ ଧରାଇ ଦିଆଯାଇଛି ।