ପୁରୀ: ଗତକାଲି ପୁରୀ ସ୍ୱର୍ଗଦ୍ୱାରରେ ଖ୍ରୀଷ୍ଟିଆନ୍ ଶବ ପହଂଚିବା ଘଟଣାରେ ପ୍ରଶାସନ ନିଜ ଜିଦ୍ରେ ଅଟଳ ରହିଥିଲା। କୌଣସି ପରିସ୍ଥିତିରେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ବ୍ୟକ୍ତିଙ୍କର ଦାହ ହୋଇପାରିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା। ପରିବାର ସଦସ୍ୟ ହିନ୍ଦୁ ଦାବି କରୁଥିଲେ ମଧ୍ୟ ଏ ବାବଦରେ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ବିଳମ୍ବିତ ରାତିରେ ଶବକୁ ନେଇ ଫେରି ଯାଇଛନ୍ତି। ଭୁବନେଶ୍ୱର ସତ୍ୟନଗର ମଶାଣିରେ ଶବ ସଂସ୍କାର ହୋଇଥିବା ସୂଚନା ମିଳିଛି।
ମୃତକ ଆଲ୍ଫ୍ରେଡ୍ ସାହୁଙ୍କ ପୁଅ ରାମଚଣ୍ଡୀ ସାହି ନିବାସୀ ଅନୁପ କୁମାର ଷଡଙ୍ଗୀଙ୍କ କହିବା କଥା ହେଉଛି, ବାପା-ମା’ଙ୍କ ମଧ୍ୟରେ ମନୋମାଳିନ୍ୟ ଥିବାରୁ ତାଙ୍କ ବାପା ଦୀର୍ଘଦିନ ହେବ ନବକଳେବର ରୋଡ୍ରେ ଥିବା ତାଙ୍କ ଭଉଣୀ ବା ପିଉସୀଙ୍କ ଘରେ ରହୁଥିଲେ।
ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଖବର ପିଉସୀଙ୍କ ପୁଅ ଦେଇଥିଲା। ତାଙ୍କୁ ମେଡିକାଲ୍ରେ ଭର୍ତି କରିବା ସହ ମୃତ୍ୟୁ ପରେ ପରେ ଶବ ବ୍ୟବଚ୍ଛେଦ ମଧ୍ୟ କରାଇ ଦେଇଥିଲେ। ସେ ଜନ୍ମରୁ ହିନ୍ଦୁ। କିନ୍ତୁ ମଝିରେ ଏହି ଧର୍ମ ପରିବର୍ତନକୁ ନେଇ ମନୋମାଳିନ୍ୟ ହୋଇଥିଲା। ତାଙ୍କର ମୂଳ ନାଁ ହେଉଛି ଭବାନୀ ଶଙ୍କର ଷଡଙ୍ଗୀ। ସେ ହିନ୍ଦୁ। ଏଣୁ ଏଠାରେ ତାଙ୍କର ଦାହ କରାଯିବ। ଏଭଳି କହି ସେ ଜିଦ୍ କରିଥିଲେ। କିନ୍ତୁ ଏ ବାବଦରେ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ।
ଏଣେ ସ୍ୱର୍ଗଦ୍ୱାର ସେବା ସମିତିର ମୁଖ୍ୟ ସେବକ ସୁମନ୍ତ କୁମାର ମିଶ୍ର ଦେଇଥିବା ରିପୋର୍ଟ ମୁତାବକ, ମୃତକଙ୍କ ନାଁରୁ ସନ୍ଦେହ ହେବାରୁ ତାଙ୍କୁ ପରିଚୟ ପତ୍ର ମଗା ଯାଇଥିଲା।
ହେଲେ ପୁଅ ବାପାଙ୍କର ଯେଉଁଠି ହିନ୍ଦୁ ବୋଲି ପ୍ରମାଣ ଅଛି ସେ ପରିଚୟପତ୍ର ଦେଖାଇ ପାରି ନଥିଲେ। ଏଣୁ ଏ ନେଇ ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଘଟଣାସ୍ଥଳରେ ତହସିଲ୍ଦାର ଅଭିଷେକ ଦାଶ ପହଂଚିଥିଲେ। ମୃତକଙ୍କ ଜମିପଟ୍ଟା ଦେଖିବା ପରେ ଖ୍ରୀଷ୍ଟିଆନ୍ ବୋଲି ଜଣାପଡିଥିଲା। ଏହି ପଟ୍ଟା ୧୯୮୯ ମସିହାର।
ଦୀର୍ଘଦିନରୁ ସେ ଖ୍ରୀଷ୍ଟିଆନ୍ ବୋଲି ପ୍ରମାଣିତ ହୋଇଥିଲା। ଏଣୁ ତାଙ୍କ ଶବକୁ ଦାହ କରିବା ପାଇଁ ଦିଆଯାଇ ନଥିଲା। ଫଳରେ ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୧୦ ଘଂଟା ପର୍ଯ୍ୟନ୍ତ ଶବ ପଡି ରହିଥିଲା। ପରିବାର ସଦସ୍ୟଙ୍କ ସମେତ କେତେକ ନିଜକୁ ବୁଦ୍ଧିଜୀବୀ କହୁଥିବା ବ୍ୟକ୍ତି ଶବଦାହ ପାଇଁ ଚାପ ପକାଉଥିବା ଦେଖାଯାଇଥିଲା। ଅନ୍ୟପଟେ ଏଭଳି ଦ୍ୱନ୍ଦ୍ୱ ଓ ବିବାଦକୁ ଦୂର କରିବା ପାଇଁ ସ୍ୱର୍ଗଦ୍ୱାରରେ ସୂଚନା ଫଳକ ଲଗାଇବାକୁ ଦାବି କରିଛି ଉତ୍କଳ ବିଦ୍ୱତ ପରିଷଦ।
ସଭାପତି ମନୋଜ ରଥ ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।
ସେ ଲେଖିଛନ୍ତି, ପୁରୀ ସ୍ୱର୍ଗଦ୍ୱାର କେବଳ ହିନ୍ଦୁମାନଙ୍କର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଉଦ୍ଦିଷ୍ଟ ବୋଲି ସୂଚନା ଫଳକ ଲଗାଯାଉ। ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ହିନ୍ଦୁମାନଙ୍କ ଅନ୍ତିମ ସଂସ୍କାର ପାଇଁ ଉଦ୍ଦିଷ୍ଟ। ଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ ଏହାକୁ ମୋକ୍ଷଦ୍ୱାର କୁହାଯାଏ। କିନ୍ତୁ ଦ୍ୱନ୍ଦ୍ୱ ହେବାରୁ ସ୍ୱର୍ଗଦ୍ୱାରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଯେମିତି ଶ୍ରୀମନ୍ଦିରରେ ସ୍ପଷ୍ଟ କରାଯାଇଛି, ଠିକ୍ ସେହିଭଳି ସ୍ୱର୍ଗଦ୍ୱାର ପ୍ରବେଶ ଦ୍ୱାରରେ କେବଳ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ଫଳକ ଲଗାଯାଉ।