ବଡ଼ ଦେଉଳକୁ ବାହୁଡିବାକୁ ପ୍ରସ୍ତୁତ ଅଭିମୁଖେ ବଡ଼ଠାକୁର: ପବିତ୍ର ବାହୁଡା ଯାତ୍ରା ୨୦୨୨

Bahuda Journey..Rath Yatra 2022..

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ତାଳଧ୍ୱଜ ରଥରେ ବଳଭଦ୍ର, ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ରତ୍ନବେଦୀକୁ ବାହୁଡ଼ିବେ ମାହାପ୍ରଭୁ ଶ୍ରୀ ଜଗନ୍ନାଥ । ଲକ୍ଷଲକ୍ଷ ଭକ୍ତମେଳରେ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାବାହୁ। ଏଥିଲାଗି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତାରଣ୍ୟ ହୋଇଛି ଶରଧାବାଲି । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଜଗନ୍ନାଥ ପହଣ୍ଡି ବିଜେ କରିବେ।

ନୀତି ନିର୍ଘଣ୍ଟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ବୋଲି କୁହାଯାଇଥିଲା । ହେଲେ ସେବାୟତ ମାନେ ଶ୍ରୀଜୀଉ ମାନଙ୍କ ଶୀଘ୍ର ପହଣ୍ଡି ବିଜେ ଆରମ୍ଭ କରିଛନ୍ତି । ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି କୁହାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣାଯିବ ବୋଲି ଅନୁମାନ କରାଯାଉଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି ।
Ratha Yatra2022
ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ।
Ratha Yatra2022
ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୧୦ରେ ସୁନାବେଶ ଓ ହରିଶୟନ ନୀତି, ଜୁଲାଇ ୧୧ରେ ଅଧରପଣା ଓ ଗରୁଡ଼ଶୟନ ନୀତି, ଜୁଲାଇ ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।