ପ୍ରଭୁଙ୍କ ଶରଣରେ ପକ୍ଷାଘାତ ମହିଳା

ଡାକ୍ତରୀ ବ୍ୟବସ୍ଥା ଫେଲ ମାରିବା ପରେ ଅଗତ୍ୟା ସମସ୍ତଙ୍କ …

ପୁରୀ: ଡାକ୍ତରୀ ବ୍ୟବସ୍ଥା ଫେଲ ମାରିବା ପରେ ଅଗତ୍ୟା ସମସ୍ତଙ୍କ ନଜର ଆପେ ଆପେ ଚାଲିଯାଏ ନୀଳାଚଳ ନାଥ କାଳିଆ ସାଆନ୍ତ। ପକ୍ଷାଘାତ ଆକ୍ରାନ୍ତ ମହିଳାକୁ ପତିତପାବନ ଦର୍ଶନ କରାଇଛନ୍ତି ସ୍ୱାମୀ ଓ ଝିଅ। ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ସମସ୍ତଙ୍କ ଆଖି ଲୁହରେ ଜକେଇ ଯାଇଥିଲା। ଯାହା ବୟାନ କରୁଥିଲା ସମ୍ପୂର୍ଣ୍ଣ ଅକ୍ଷମ ହୋଇ ହୁଇଲ୍‌ ଚେୟାରରେ ବସିଥିବା ମହିଳାଙ୍କ କରୁଣ ଭାବାବେଗକୁ। ଭାବର ଠାକୁରଙ୍କୁ ତାଙ୍କ ମନ କଥା କହିବା ବେଳର ଏହି ଦୃଶ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଭାବବିହ୍ୱଳ କରି ଦେଇଥିଲା।

ଶନିବାର ସିଂହଦ୍ୱାର ଆଗରେ ଏହି ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ଅକ୍ଷମ ମହିଳା ଜଣକ ବ୍ରହ୍ମପୁରର ରୁନୁ ପାଣିଗ୍ରାହୀ। ସ୍ୱାମୀ କାଶୀନାଥ ପାଣିଗ୍ରାହୀ ଓ ଝିଅ ସନ୍ତୋଷୀନି ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ନେଇ ଆସିଥିଲେ। ହୁଇଲ ଚେୟାର ଯୋଗାଡ କରି ସିଂହଦ୍ୱାରରେ ରୁନୁଙ୍କୁ ଧରି ପହଂଚି ଥିଲେ। ରୁନୁ ୨୦୨୧ରୁ ମୁମ୍ବାଇରେ ରହି ଆସୁଛନ୍ତି। ଆଉ ସ୍ନାୟୁରୋଗ ଯୋଗୁଁ ଅକ୍ଷମ ଭଳି ଜୀବନ କାଟୁଛନ୍ତି। ଡାକ୍ତର ମୁହଁ ଫେରାଇ ଦେବାପରେ ଏବେ କାଳିଆ କରୁଣା ଶେଷ ଭରସା ହୋଇଛି। ତେଣୁ ସ୍ୱାମୀ ଆଉ ଝିଅ ତାଙ୍କୁ ସିଂହଦ୍ୱାର ଯାଏ ନେଇ ଆସିଛନ୍ତି।

ତା’ ଆଗକୁ ହ୍ୱିଲ ଚେୟାର ଯିବା ପରମ୍ପରା ଅନୁଯାୟୀ ସମ୍ଭବ ନୁହେଁ। ତେଣୁ ସେଇଠି ରହି ପତିତପାବନଙ୍କୁ ଦର୍ଶନ କରିଛନ୍ତି ରୁନୁ। ପ୍ରବଳ ଖରା ହେଉଥିବାରୁ ଝିଅ ସନ୍ତୋଷିନୀ ମା’ ପାଟିରେ ପାଣି ବୋତଲ ଖୋଲି ପାଣି ଦେଉଥିଲେ। ସ୍ୱାମୀ ତାଙ୍କ ହାତ ଧରି ଉପରକୁ ଟେକି ଜୟ ଜଗନ୍ନାଥ କାଳିଆ ଠାକୁର ଡାକ ଦେଉଥିଲେ। ବିଶ୍ୱନିଅନ୍ତା କାଳିଆ ଠାକୁର। ତାଙ୍କୁ କେଉଁ କଥା ଅଛପା। ଏବେ ସେ ଯାହା କରିବେ ବୋଲି ପରିବାର ଲୋକେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।