ପୁରୀ: ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ; ୧୦ ଘଣ୍ଟା ପରେ ବି ଅଣାୟତ୍ତ ନିଆଁ

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଅଣାୟତ୍ତ..

ପୁରୀ,(ସାକ୍‌ସୀ ନ୍ୟୁଜ୍): ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଯାହାକି କୌଣସି କାରଣରୁ ଏହି ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଥିବା ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିବା ସୂଚନା । ଚାହୁଁ ଚାହୁଁ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲକୁ ନିଆଁ ବ୍ୟାପିଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ।

ସେହିପରି, ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଲାଗିଥିବା ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନାହିଁ। ଘଟଣାର ୧୦ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଥିବା ଜଣାପଡ଼ିଛି। ଗତକାଲିଠାରୁ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେହି ଗୁରୁତର ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାଇ ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ବଡଦାଣ୍ଡ ପାର୍ଶ୍ବରେ ରହିଛି ଲକ୍ଷ୍ମୀ ବଜାର। ଏହି ବଜାରରେ ରହିଛି ମାର୍କେଟ କମ୍ପ୍ଲେକ୍ସ। ସମ୍ରାଟ ଗେଷ୍ଟ ହାଉସରେ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ରହିଥିଲେ। ସେହିପରି ନାସିକରୁ ଆସିଥିବା ୧୨୦ ଜଣ ପର୍ଯ୍ୟଟକ ଏଠାରେ ଥିବା ସୂଚନା ମିଳିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଅଚେତ ଥିବାବେଳେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁସାରେ, ନିଆଁ ଲାଗିଥିବା ମାର୍କେଟ କମ୍ପ୍ଲେକ୍ସରେ ପ୍ରବଳ ଧୂଆଁ ବାହାରୁଥିବାରୁ କେତେକ ଅଗ୍ନିଶମ କର୍ମଚାରୀ ଅଣନିଶ୍ବାସୀ ହୋଇପଡିବା ସହ ନିଆଁ ଲାଭାଇବାରେ ବିଳମ୍ବ ହୋଇଥିଲା। ଅଗ୍ନିଶମ ବିଭାଗର ୬ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଭୁବନେଶ୍ବର, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଁଲିଭାଇବାରେ ଲାଗିପଡିଥିଲେ। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି।