ଓଡ଼ିଶାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପଛରେ ପୁତିନଙ୍କ ଷଡ଼ଯନ୍ତ୍ର!

ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନଙ୍କ ଶାସନ ପ୍ରଣାଳୀକୁ….

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନଙ୍କ ଶାସନ ପ୍ରଣାଳୀକୁ ସମାଲୋଚନା କରିବା ଅର୍ଥ ମୃତ୍ୟୁଆଡ଼କୁ ପାଦ ବଢ଼ାଇବା । ପୁତିନଙ୍କର ସ୍ୱେଚ୍ଛାଚାରୀ ଶାସନକୁ ଖୋଲାଖୋଲି ସମାଲୋଚନା କରି ଅଧିକାଂଶ ଶିଳ୍ପପତି, ରାଜନେତା, ସାମାଜିକ ପ୍ରତିଷ୍ଠିତ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୨୦୨୨ ସେପ୍ଟେମ୍ବର ପହିଲାରେ ରୁଷିଆର ଗୋଟିଏ ତେଲ କମ୍ପାନୀ ‘ଲୁକାୟଲ’ ମାଲିକ ରାବିଲ ମାଗାନୋଭ ମସ୍କୋସ୍ଥିତ ଏକ ହସ୍ପିଟାଲର ଝରକା ବାଟ ଦେଇ ତଳକୁ ଡେଇଁ ପ୍ରାଣ ହରାଇଥିଲେ । ଓଡ଼ିଶାର ରାୟଗଡ଼ାସ୍ଥିତ ହୋଟେଲରେ ସାଂସଦ ପାୱେଲ ଏଂଟୋଭଙ୍କ ମୃତ୍ୟୁ ମଧ୍ୟ ମାଗାନୋଭଙ୍କ ଭଳି ହୋଇଛି । ଏଂଟୋଭ ସାମାନ୍ୟ ବ୍ୟକ୍ତି ନଥିଲେ, ସେ ରୁଷିଆର ସାଂସଦ ଓ ଜଣେ କୋଟିପତି ଶିଳ୍ପପତି । ଏଂଟୋଭ ୧୨୦ ନିୟୁତ ଡଲାର ସମ୍ପତିର ମାଲିକ । ତାଙ୍କ ଭଳି ବ୍ୟକ୍ତିତ୍ୱ ଏପରି ବେପରୁଆ ଭାବେ ତଳକୁ ଖସି ଆତ୍ମହତ୍ୟା କରି ନଥିବେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶା ପୁଲିସ ଓ ଡାକ୍ତରଙ୍କର ବେପରୁଆ କାର୍ଯ୍ୟାନୁଷ୍ଠାନ । ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ସୂଚନା ପାଇବା ପରେ ପୁଲିସ ଉଭୟଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଇଲା । ବ୍ୟବଚ୍ଛେଦ କାଳରେ ଡାକ୍ତରମାନେ ମୃତଦେହଟିରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସଂଗ୍ରହ କରି ରଖନ୍ତି ଯାହା ଆବଶ୍ୟକ ସମୟରେ କାମରେ ଲାଗିବାର ସମ୍ଭାବନା ଥାଏ । ଦୁଇ ରୁଷୀୟ ପର୍ଯ୍ୟଟକଙ୍କ କ୍ଷେତ୍ରରେ ତା’ର ବ୍ୟତିକ୍ରମ କରାଯାଇଛି । ଉଭୟ ଡାକ୍ତର ଓ ପୁଲିସ ବିଦେଶୀ ପର୍ଯ୍ୟଟକଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସାଇତି ରଖିନାହାନ୍ତି । ଦୁଇ ରୁଷୀୟ ପର୍ଯ୍ୟଟକ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ହୋଇଥିବାରୁ ସେମାନଙ୍କ ମୃତଦେହକୁ କବର ଦିଆଯିବା ଦରକାର । କିନ୍ତୁ ଓଡ଼ିଶା ପୁଲିସ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତଦେହକୁ ପୋଡ଼ି ଦେଇଛନ୍ତି । ମୃତଦେହଗୁଡ଼ିକୁ କବର ଦିଆଯାଇଥିଲେ ଆବଶ୍ୟକ ସମୟରେ ରୁଷୀୟ ତଦନ୍ତ ଅଧିକାରୀମାନେ ଆସି ମୃତଦେହର ପୁନଃଯାଂଚ କରିବାର ସୁଯୋଗ ପାଇଥାନ୍ତେ ।
ଯଦିଓ ଭାରତରେ ଅବସ୍ଥିତ ରୁଷ ଦୂତାବାସର ମୁଖ୍ୟ ଓଡ଼ିଶାର ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ କିଛି ଭିତିରିଆ ଷଡ଼ଯନ୍ତ୍ର ନାହିଁ ବୋଲି କହିଛନ୍ତି । ତେବେ ସେ ଯେ ପୁତିନଙ୍କ ଦୃଢ଼ ସମର୍ଥକ ହୋଇପାରନ୍ତି ।
ରାୟଗଡ଼ାରେ ରୁଷିଆ ସାଂସଦ ଏଂଟୋଭଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ବହୁ ବିଦେଶୀ ମିଡିଆ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ପୁତିନଙ୍କ ବିରୋଧୀ ତାଲିକାରେ ଏଂଟୋଭଙ୍କ ନାମ ରହିଛି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ କେନ୍ଦ୍ର କରି ଏଂଟୋଭ ରାଷ୍ଟ୍ରପତି ପୁତିନଙ୍କୁ ଖୋଲାଖୋଲି ସମାଲୋଚନା କରୁଥିଲେ । ଖାସ୍‌ କରି ରୁଷ ମିସାଇଲ ମାଡ଼ରେ ୟୁକ୍ରେନ ରାଜଧାନୀ କେଇଭରେ ଜଣେ ଏପରି ବ୍ୟକ୍ତି ଦୟନୀୟ ଅବସ୍ଥାରେ ମରିଥିଲେ ଯାହାଙ୍କର ପତ୍ନୀ ଓ ଛୋଟ ଝିଅଟି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ବିଦେଶୀ ମିଡିଆ ଦୃଷ୍ଟିରେ ପୁତିନଙ୍କ ହୀନ ଷଡ଼ଯନ୍ତ୍ରର ଶିକାର ହୋଇ ଏଂଟୋଭ ରାୟଗଡ଼ାସ୍ଥିତ ସାଇ ଇଂଟରନ୍ୟାସନାଲ ହୋଟେଲରେ ପ୍ରାଣ ହରାଇଛନ୍ତି ।