ତିନୋଟି ଆଖି ବିଶିଷ୍ଟ ଜୀବର ସନ୍ଧାନ

ଆଜକୁ ପ୍ରାୟ ୫୫ କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ବିଚରଣ…..

ଆଜକୁ ପ୍ରାୟ ୫୫ କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବା ଜୀବଙ୍କର ସନ୍ଧାନ ପାଇଛନ୍ତି କିଛି ପର୍ଯ୍ୟଟକ । ସଂପୃକ୍ତ ପର୍ଯ୍ୟଟକ ଗୋଷ୍ଠୀ ଆମେରିକାର ଆରିଜୋନା ଅନ୍ତର୍ଗତ ଚର୍ଚ୍ଚିତ ପାହାଡ଼ ‘ଦି ବେବ’ ପାଦଦେଶରେ ରହିଥିବା ପରିତ୍ୟକ୍ତ ପୋଖରୀରେ ଛୋଟଛୋଟ ଜଳଜ ପ୍ରାଣୀ (ଟ୍ରାୟୋପ୍ସ) ଦେଖିବାକୁ ପାଇଥିଲେ । ପର୍ଯ୍ୟଟକମାନେ ସେହି ଜୀବଗୁଡ଼ିକର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ପ୍ରସାରଣ କରିଛନ୍ତି । ଉକ୍ତ ଜୀବଗୁଡିକ ଡାଇନୋସର ଯୁଗର ବହୁ ପୂର୍ବରୁ ପୃଥିବୀରେ ବିଚରଣ କରୁଥିଲେ ଓ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛନ୍ତି । ଉକ୍ତ କ୍ଷୁଦ୍ର ଜୀବ ନିକଟରେ ତିନୋଟି ଆଖି ଅଛି ।

ପେସାରେ କମ୍ପ୍ୟୁଟର ଇଞ୍ଜିନିୟର ୨୯ ବର୍ଷୀୟ ଅଦାର ଲିବୋବିଚ ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ଅପ୍‌ଲୋଡ଼ କରି ଲେଖିଛନ୍ତି, ‘ମୁଁ ମରୁଭୂମିର ଏପରି ଏକ ସ୍ଥାନରେ ଥିଲି, ଯୋଉଠି ଚାରିଆଡେ଼ ଖାଲି ବାଲି ଆଉ ବାଲି । ତା’ରି ଭିତରେ ରହିଛି ପରିତ୍ୟକ୍ତ ପୋଖରୀ । ପୋଖରୀରେ କିଛି କ୍ଷୁଦ୍ରକୀଟ ଦେଖିବାକୁ ପାଇଲି । ଉକ୍ତ କୀଟଗୁଡ଼ିକର ଅଣ୍ଡା ବର୍ଷବର୍ଷ ଧରି ସାଇତି ରଖିହେବ । ସେହି ଅଣ୍ଡାଗୁଡ଼ିକ ପାଣି ସଂସ୍ପର୍ଶରେ ଆସିବା ମାତ୍ରେ ତା’ ଭିତରୁ କୀଟ ବାହାରି ଆସନ୍ତି । ଉକ୍ତ କୀଟଗୁଡ଼ିକର ତିନୋଟି ଲେଖାଏଁ ଆଖି ଅଛି । ଦୁଇଟି ବଡ଼ ଆଖି ମଝିରେ ଥିବା ଛୋଟ ଆଖିଟି ଆଲୋକର ଅବସ୍ଥାନକୁ ଠଉରାଇପାରେ । ସୂଚନାଯୋଗ୍ୟ, ୧୦ କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଡାଇନୋସର ବଂଶଧର ତିଷ୍ଠି ରହିଥିଲେ ।