୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତିତ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି। ବିଦ୍ୟୁତ ଉପଭୋକ୍ତମାନଙ୍କ ପାଇଁ ଭଲ ଖବର । ଚଳିତ ବର୍ଷ ବିଦ୍ୟୁତ ଦର ବଢିବନି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତିତ ରହିବ । ଏହାସହିତ ଡିଜିଟାଲ ପେମେଂଟ କଲେ ୩ ପ୍ରତିଶତ ରିହାତି ମିଳିବ ବୋଲି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାଇ, ଏକ ସାମ୍ବାଦିକ ସମ୍ମିଳନୀରେ ଓଇଆରସିର ସଚିବ ଶ୍ରୀପଟ୍ଟନାୟକ କହିଛନ୍ତି ଯେ, ୟୁନିଟ ପର୍ୟ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ବିଦ୍ୟୁତ ଶୁଳ୍କ ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳ୍କ ଆଦାୟ ହେବ। ଏହାଛଡ଼ା ଡିଜିଟାଲ ପେମେଂଟ ପାଇଁ ୩ ପ୍ରତିଶତ ସବସିଡି ମିଳିବ ।

ବିଦ୍ୟୁତ ଶୁଳ୍କ ବାବଦରେ ଓଇଆରସିର ଶୁଣାଣି ବେଳେ ଦର ନ ବଢାଇବାକୁ ରାଜ୍ୟ ସରକାର ଗତ ଫେବ୍ରୁଆରି ୨୦ରେ ଓଇଆରସିଙ୍କୁ ଅନୁରୋଧ କରିଥିଲେ । ତେବେ ବିଦ୍ୟୁତ କ୍ରୟ ବାବଦ ଖର୍ଚ୍ଚ ୧୯ ପଇସା ବଢିଥିଲେ ବି ତାହାକୁ ଆଡଜଷ୍ଟ କରି ଦର ନ ବଢାଇବାକୁ ବିଦ୍ୟୁତ ବିତରଣ କମ୍ପାନିମାନଙ୍କୁ କୁହାଯାଇଥିଲା । ଏହି ବିତରଣ କମ୍ପାନିମାନଙ୍କ ପାଖରେ ୩୫୫ କୋଟିର ବଳକା ରାଶି ଥିବାରୁ ତାହାକୁ ଆଡଜଷ୍ଟ କରିବାକୁ କୁହାଯାଇଛି ।

ଏନେଇ ବିଦ୍ୟୁତ ଉପଭୋକ୍ତା ସଂଘର ଆବାହକ ରମେଶ ଶତପଥୀ କହିଛନ୍ତି ଯେ ଏଠି ବିଦ୍ୟୁତ ଦର ନବଢାଇବା ବଡ କଥା ନୁହେଁ । ଏଠି ସବସିଡି ଦିଆଯାଇ ନିର୍ଦ୍ଦିଷ୍ଟ ୟୁନିଟ୍ ପର୍ଯ୍ୟନ୍ତ ଛାଡ କରାଗଲା ନାହିଁ । ଦିଲ୍ଲୀ, ପଞ୍ଜାବ ରାଜ୍ୟରେ ଇଲେକ୍ଟ୍ରି ୟୁନିଟ୍‌କୁ ନେଇ ସବସିଡି ଦିଆଗଲାଣି କିନ୍ତୁ ଓଡିଶାରେ ହୋଇପାରିଲା ନାହିଁ । ଏନେଇ ବାରମ୍ବାର ବାରମ୍ବାର ଅଭିଯୋଗ କଲେବି କୌଣସି ପଦକ୍ଷେପ ନାହିଁ ।