ନଦୀପଠା ଏବେ ଅଳିଆଗଦା, ଗୋପାଳପୁର ପୌରପାଳିକା କାରନାମା

ଗୋପାଳପୁର: ନଈପଠା ଓ ଜନବସତିଠାରୁ ଦୂରରେ ଅଳିଆ ଆବର୍ଜନା ଠୁଳ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ରହିଛି । କିନ୍ତୁ ଗୋପାଳପୁରରେ ତାକୁ ପାଳନ କରୁନି ପ୍ରଶାସନ । ଗୋପାଳପୁର ପୌରପାଳିକା ନଦୀପଠାକୁ ଲାଗି ରହିଥିବା ଗୋଟିଏ ଘରୋଇ ଜମିରେ ଅଳିଆ ଜମା କରୁଛି । ପରିଣାମ ସ୍ୱରୂପ ନଦୀଜଳ ଦୂଷିତ ହେଉଛି । ମାଛଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଗୋପାଳପୁର ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ମତରେ ସବୁକିଛି ଠିକ୍‌ ଚାଲିଛି । କିନ୍ତୁ ବାସ୍ତବ ସ୍ଥିତି କିଛି ଅଲଗା । ଗୋପାଳପୁର ସହରାଂଚଳରୁ ସଂଗ୍ରହୀତ ପଲିଥିନ, ପ୍ଲାଷ୍ଟିକ୍‌ ବୋତଲ, କପଡ଼ା ସମେତ ଅନ୍ୟାନ୍ୟ ସାମଗ୍ରୀ ରିସାଇକ୍ଲିଂ ପାଇଁ କୌଣସି ନିରାକରଣ କରାଯାଇନି । ଅଳିଆଗୁଡ଼ିକୁ ନଦୀପଠାରେ ଗଦା କରାଯାଉଥିବାରୁ ସିଗିଡ଼ି ସାହି ଓ ହରିଜନ ସାହିର ବାସିନ୍ଦା ଦୁର୍ଗନ୍ଧରେ ରହି ପାରୁନାହାନ୍ତି ।