ଆରମ୍ଭ ହେଲା ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ : ଶୁକ୍ରବାର ଦ୍ୱାଦଶୀ ତିଥିରେ ରଥ ଉପରେ ଆଜି ମହାପ୍ରଭୁଙ୍କୁ ଅଧରପଣା ଭୋଗ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ। ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ। ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ।

ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାଶ୍ୱଦେବାଦେବୀ, ଭୁତପ୍ରେତ ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।