ସୁପରସୋନିକ ମିସାଇଲ “ସ୍ମାର୍ଟ “ର ସଫଳ ପରୀକ୍ଷଣ

ଭୁବନେଶ୍ବର (ଏସ୍ ନ୍ଯୁଜ): ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ ରିଲିଜ୍ ଅଫ୍ ଟର୍ପେଡୋ (ସ୍ମାର୍ଟ)ର ଉତ୍‌କ୍ଷେପଣ କରାଯାଇଛି। ସକାଳ ୧୧ଟା ୪୫ରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଧାମରାସ୍ଥିତ କଲାମ ଦ୍ୱୀପରେ ଥିବା ୪ନମ୍ବର ଲଞ୍ଚ୍‌ପ୍ୟାଡରୁ ସ୍ମାର୍ଟ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା ।ସବ ମେରାଇନରୁ ମିସାଇଲ ଉତକ୍ଷେପଣରେ ଏହା ଏକ ଗେମ ଚେଞ୍ଜର ଭାବେ କାମ କରିବ। ଡିଆରଡିଓର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆଣ୍ଟି ସବମରିନ ଓ୍ଵାରଫେୟାରରେ ଏହି ପ୍ରଯୁକ୍ତିବିଦ୍ୟା ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣ ବଢାଇପାରେ। ଏହା ଏକ ପ୍ରକାରର ସୁପରସୋନିକ ଆଣ୍ଟି-ସିପ୍ ମିସାଇଲ। ଏଥିରେ କମ ଓଜନର ଟରପିଡୋ ଲଗାଯାଇଛି, ଯାହା ପେଲୋଡରେ ବ୍ୟବହାର ହୋଇଥାଏ। ଏହି ମିସାଇଲ ବୁଡାଜାହାଜକୁ ନଷ୍ଟ କରିବାର କ୍ଷମତା ରହିଛି। ସଂପୂର୍ଣ୍ଣ ବିକଶିତ ହେବା ପରେ ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ କିଲୋମିଟର ହେବ।

ଭାରତ ପାଖରେ ବ୍ରହ୍ମୋସ ସୁପରସୋନିକ ଆଣ୍ଟି ସିପ୍ ଓ ଲ୍ୟାଣ୍ଡ ଆଟାକ କ୍ରୁଜ୍ ମିସାଇଲ ମଧ୍ୟ ରହିଛି। ଯାହା ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣ ବୃଦ୍ଧି କରିବ। ଭାରତ ନିକଟରେ ବରୁଣାସ୍ତ୍ର ନାମକ ଏକ ଆଡଭାନ୍ସଡ ହେଭିଓ୍ଵେଟ୍ ଆଣ୍ଟି ସବମରିନ ଟରପିଡୋ ରହିଛି। SMART ଏହା ତୂଳନାରେ ବହୁତ ହାଲୁକା ଅଟେ।