ପୁରୀ ଟ୍ରେନ୍‌ ପୋଡି ଘଟଣାରେ ତାମିଲ ଯୁବକଙ୍କୁ ୫ ବର୍ଷ ଜେଲ ଦଣ୍ଡ

ପୁରୀ (ଏସ ନ୍ୟୁଜ ): ପୁରୀ ଷ୍ଟେସନରେ ଟ୍ରେନ୍‌ ପୋଡି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ପୁରୀ CJM କୋର୍ଟ । ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନକୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୭୫,୫୦୦ଟଙ୍କାର ଜରିମାନା ନେଇ ରାୟ ଶୁଣାଇଛନ୍ତି କୋର୍ଟ । ଶୁଣାଣି କରି ରାୟ ପ୍ରକାଶ କରିବା ପୂର୍ବରୁ ମାମଲାରେ ୪୦ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ରାୟ ଅଭିଯୁକ୍ତ ସୁବାଶକୁ ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ୍‌ ବା ସିଜେଏମ ଡ. ଇନ୍ଦୁ ଶର୍ମା।

ସୂଚନା ଅନୁଯାୟୀ, ୨୦୧୫ ମସିହା ନଭେମ୍ବର ୧୨ ତାରିଖ ଦିନ ପୁରୀ ଷ୍ଟେସନରେ ଏକ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା । ଷ୍ଟେସନରେ ଥିବା ନନ୍ଦନକାନନ ଏକ୍ସପ୍ରେସର (ପୁରୀ-ତିରୁପତି / ତିରୁପତି-ପୁରୀ) ବଗିରେ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଷ୍ଟେସନରେ ନିଆଁ ବ୍ୟାପିବାରେ ଲାଗିଥିଲା । ଏପରିକି ନିକଟସ୍ଥ ପ୍ଲାଟଫ୍ଲମକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ପୁରୀ ଷ୍ଟେସନର ୨,୩,୬ ପ୍ଲାଟଫର୍ମକୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଲାଗିବାର ପରଦିନ ପ୍ଲାଟଫର୍ମରେ ସୁବାଶ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ତାକୁ ଗିରଫ କରିଥିଲା ଜିଆର୍‌ପି ପୋଲିସ । ସୁବାସ ନିକଟରୁ ଛୁରୀ , ବ୍ଲେଡ଼, ଦିଆସିଲି ଜବତ କରିଥିଲା ପୋଲିସ ।

ଟ୍ରେନ ପୋଡି ଘଟଣାରେ ପରବର୍ତ୍ତୀ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଆଶଙ୍କା କରି ଏନ୍‌ଆଇଏକୁ ମାମଲା ହସ୍ତାନ୍ତର କରାଯାଇଥିଲା । ମାମଲାରେ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟ ନଥିବାରୁ ପୁଣି ଥରେ ମାମଲାକୁ ଜିଆର୍‌ପି ପୋଲିସକୁ ଦିଆଯାଇଥିଲା ।