ଯାଜପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ଉଠାଇ ନେଇଛି ବିଞ୍ଝାରପୁର ପୁଲିସ

ଭୁବନେଶ୍ୱର/ଯାଜପୁର,(ସାକ୍‌ସୀ ନ୍ୟୁଜ୍‌): ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ସାମ୍ବାଦିକ ମାନଙ୍କ ଉପରେ ହୋଇଥିଲା ଅସାମାଜିକଙ୍କ ଆକ୍ରମଣ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବାଛୋଳ ପଞ୍ଚାୟତରେ ପୁଲିସ ଫ୍ଲାଗ ମାର୍ଚ କରିଛି । ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ଉଠାଇ ନେଇଛି ବିଞ୍ଝାରପୁର ପୁଲିସ । ଅଟକ ସନ୍ଧିଗ୍ଧ ଅଭିଯୁକ୍ତଙ୍କ ସହିତ ଘଟଣା‌ରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଛାନ୍‌ଭିନ୍ ଚଳାଇଛି ପୁଲିସ।

ସୂଚନା ଅନୁଯାଇ, ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ଦଖଲ ଓ ଭୋଟ ବାକ୍ସ ଲୁଟ ଉଦ୍ୟମ ହେଉଥିବା ନେଇ ଅଭିଯୋଗ ଆସିଥିଲା । ଏହାର ଖବର ସଂଗ୍ରହ ପାଇଁ କିଛି ଆଗଧାଡି ଗଣମାଧ୍ୟମର ପ୍ରତିନିଧିମାନେ ଖବର ସଂଗ୍ରହ ପାଇଁ ସେଠାରେ ପହଞ୍ଚିଥିଲେ । ଘଟଣାର ଦୃଶ୍ୟ ସୁଟିଂ କରୁଥିବା ବେଳେ ଅସାମାଜିକମାନେ ଉତକ୍ଷିପ୍ତ ହୋଇ ଉଠିଥିଲେ । ସାମ୍ବାଦିକଙ୍କ କ୍ୟାମେରା ଛଡାଇବା ସହ ନିସ୍ତୁକ ପିଟି ଥିଲେ। ସଂଘବଦ୍ଧ ଆକ୍ରମଣରେ ୩ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏଭଳି ସ୍ଥିତିରେ ଅସାମାଜିକମାନେ ବୁଥରୁ ଭୋଟ ବାକ୍ସ ଲୁଟି ନେଇ ପୋଖରୀରେ ଫିଙ୍ଗି ପଳାଇଥିବା ଜଣାଯାଇଛି । ଘଟଣା ପରେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳ ଛାଡି ଚାଲିଯାଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟି ବିଭିନ୍ନ ସାମ୍ବାଦିକ ସଂଘ, ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକମାନେ ଘଟଣାକୁ ନିନ୍ଦା କରିବା ସହ ସାମ୍ବାଦିକ ଆକ୍ରମଣ ଘଟଣାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ, ତୁରନ୍ତ ଆକ୍ସନ ନେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ । ଡିଜିପିଙ୍କ ନିର୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ବରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ଅଟକ ରଖିଛି ବିଞ୍ଝାରପୁର ପୁଲିସ। ସାରା ରାଜ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।