ସହରାଞ୍ଚଳର ବିକାଶ ପାଇଁ ୫୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ସମୟରେ ରାଜ୍ୟର ସହରାଞ୍ଚଳର ଗଳିକନ୍ଦିମାନଙ୍କରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳୁଥିଲା । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୃହତ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ସହରାଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଭିନ୍ନ ସମୟରେ ବର୍ଷା ଯୋଗୁଁ ସହରାଞ୍ଚଳର ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିଲା । ତେଣୁ ଏହି ଅର୍ଥ ସହରାଞ୍ଚଳର ଉନ୍ନତିକରଣ ସହ ମରାମତି କାର୍ଯ୍ୟରେ ଲାଗିବ । ଆସନ୍ତା ମୌସୁମୀ ଋତୁ ପୂର୍ବରୁ ଏହି ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।