ନବଦାସଙ୍କ ହତ୍ୟା ମାମଲାରେ ବଦଳିବେ ମୁଖ୍ୟମନ୍ତ୍ରୀ !

ଆଇନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇଯାଇଛି …

ଭୁବନେଶ୍ୱର: ‘ରାଜ୍ୟର ଗୃହ ବିଭାଗଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନକୁ ଯିବା ପରଠାରୁ ଆଇନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇଯାଇଛି । ବିରୋଧୀ ଦଳକୁ ଦୃଢ଼ହସ୍ତରେ ଦମନ କରିବା ପାଇଁ ପୁଲିସ ପ୍ରଶାସନକୁ ଅମାପ ଶକ୍ତି ପ୍ରଦାନ କରିବାର ପ୍ରତିଫଳ ଭୋଗୁଛି କ୍ଷମତାସୀନ ଦଳ । ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୟା’ଠାରୁ ବଳି ଲଜ୍ଜାଜନକ ଘଟଣା ଆଉ କ’ଣ ହୋଇପାରେ ।

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରିବା ପରଠାରୁ ନବୀନ ପଟ୍ଟନାୟକଙ୍କ ଅହଂକାର ଚରମ ସୀମାରେ ପହଂଚିଛି । ଧରାକୁ ସରା ମଣି ଯାହା ମନକୁ ଆସୁଛି; ତାହା କରୁଛନ୍ତି । ନବଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ରାଜ୍ୟବାସୀ ଜାଣି ସାରିଲେଣି । ନବଦାସଙ୍କ ପୁଅକୁ ବିଧାୟକ କରି ଘଟଣାକୁ ଚାପି ଦେବାର ଉଦ୍ୟମ ଆରମ୍ଭ ହୋଇଛି ।’ ଆଜି ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା ।

ରାଜ୍ୟର ପଛୁଆ ବର୍ଗର କଣ୍ଠରୋଧ କରି ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ଜିତି ପାରିବେନି । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରିରୁ ବହିଷ୍କାର କରି ଜେଲରେ ଠୁଙ୍କିଦେଲେ; ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରିଦେଲେ, ଝାରସୁଗୁଡ଼ା ପୁଲିସ ଅଧୀକ୍ଷକ ରାହୁଲ ଜୈନଙ୍କୁ ବଦଳି କରିଦେଲେ; ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ସଜାଡ଼ି ହୋଇଯିବନି ।

ନବଦାସଙ୍କ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍‌ ବ୍ରାଂଚ ତଦନ୍ତ କରିବାର ନିର୍ଦ୍ଦେଶ ଦେବାର ଅର୍ଥ ଅରୁଣ ବୋଥ୍ରାଙ୍କ ଜରିଆରେ ମାମଲାର ଦିଗଭ୍ରଷ୍ଟ କରିବା । ଆଗାମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିଠିରେ ନା ପାଣ୍ଡିଆନ୍‌ ପଡ଼ିବେ ନା ଅରୁଣ ବୋଥ୍ରା । ରାଜ୍ୟର ଚାରିକୋଟି ଜନତା ଆଉ ଟଙ୍କିକିଆ ଚାଉଳରେ ବାଇ ହୋଇ ବିଜେଡିକୁ ଭୋଟ ଦେବେନି ବୋଲି ଆଜି ଝାରସୁଗୁଡ଼ାରେ ଅନୁଷ୍ଠିତ ଏନ୍‌ୟୁବିସି ବୈଠକରେ ମତାମତ ପ୍ରକାଶ ପାଇଛି ।