ବଡ଼ବିଲ : ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଗୁଆଲି ପଞ୍ଚାୟତର କେନ୍ଦୁଡ଼ିହି ଠାରେ ଶୁକ୍ରବାର ମେସର୍ସ ରୁଙ୍ଗଟା ମାଇନ୍ସ ଲିମିଟେଡର କେନ୍ଦୁଡିହ ନର୍ଥ ଲୌହ ଖଣି ନିମନ୍ତେ ଅନୁଷ୍ଠିତ ପାରିବେଶୀୟ ଜନ ଶୁଣାଣୀ ଶତ ପ୍ରତିଶତ ସମର୍ଥନ ଲାଭ କରିଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦାବି ପୂରଣ କରିବା ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବାବେଳେ ଜନ ଶୁଣାଣିରେ ଅଂଶ ଗ୍ରହଣ କରିଥିବା ପ୍ରଭାବିତ ଲୋକେ ଶତ ପ୍ରତିଶତ ଖଣି ସପକ୍ଷରେ ମତ ପ୍ରଦାନ କରିଥିବା ଜଣା ପଡିଛି ।
ମେସର୍ସ ରୁଙ୍ଗଟା ମାଇବ୍ଧ ଲିମିଟେଡ୍ ଦ୍ଵାରା କେନ୍ଦୁଡ଼ିହି ଏବଂ ପାଣ୍ଡୁଲିପଶି ଗ୍ରାମରେ ୧୮୭.୮୬୨ ହେକ୍ଟର ପରିମିତ ଅଞ୍ଚଳରେ ସ୍ଥିତ କେନ୍ଦୁଡ଼ିହି ନର୍ଥ ଲୌହ ଖଣିଜ ବ୍ଲକ ଖଣିରୁ ବାର୍ଷିକ ୨.୬ ଏମଟିପିଏ ଆରଓଏମ ଲୌହ ଖଣିଜ (ସମୁଦାୟ ୪.୦୧୩୮ ଏମଟିପିଏ – ୨.୭ ଏମଟିପିଏ ଆରଓଏମ ଲୌହ ଖଣିଜ + ୧.୪୧୩୮ ଏମଟିପିଏ ବର୍ଜ୍ୟ) ଉତ୍ତୋଳନ କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ପରିବେଶୀୟ ମଞ୍ଜୁରୀ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ ସଭାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା କେନ୍ଦୁଝର ଏଡିଏମ୍ ରବୀନ୍ଦ୍ର କୁମାର ପ୍ରଧାନ ସଭାରେ ସଭାପତିତ୍ବ କରିଥିବାବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଇଂଜିନିୟର ପ୍ରଶାନ୍ତ କର ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରିଥିଲେ । ଏହି ପ୍ରକଳ୍ପ ଦ୍ଵାରା ରାସ୍ତା, ପାନୀୟ ଜଳ, ସ୍ଥାନୀୟ ନିଯୁକ୍ତି, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ପାରିପାର୍ଶ୍ବିକ ବିକାଶ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଦିଗରେ କମ୍ପାନୀ କର୍ତ୍ତୁପକ୍ଷଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ପ୍ରଭାବିତ ଜନ ସାଧାରଣ ସମର୍ଥନ ପ୍ରଦାନ କରିଥିଲେ ।
ଜନ ଶୁଣାଣୀରେ ପ୍ରଭାବିତ ଅଞ୍ଚଳର ୭୫ ଜଣ ମୌଖିକ ଭାବେ ମତ ରଖିଥିବାବେଳେ ସମସ୍ତେ ଖଣି ସପକ୍ଷରେ ମତ ଦେଇଥିଲେ । ରୁଙ୍ଗଟା କମ୍ପାନୀ ର ସିଏସଆର ମୁଖ୍ୟ ଲଳିତ ମୋହନ ରାଉତ ଜନ ସାଧାରଣଙ୍କ ସମସ୍ତ ଦାବି ଶୁଣିବା ପରେ ସ୍ଥାନୀୟ ଅଞ୍ଚଳର ସବୁ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ରାକେଶ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବନ୍ଦୋବସ୍ତ କରିଥିଲେ ।