ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ, ୧୮ ମାସରେ ସଂପୂର୍ଣ୍ଣ

କଣ୍ଟିଲୋ ଜନସାଧାରଣଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ ।ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନା ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ ।

ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ । ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ,ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି ।
ମନ୍ଦିରକୁ ଯାଇଥିବା ତିଖା ପାହାଚ ଶ୍ରେଣୀର ପୁନରୁଦ୍ଧାର କରାଯାଇ ଭକ୍ତ ମାନେ ଯେପରି ସୁବିଧା ରେ ଯାଇ ପାରିବେ ତଦନୁଯାୟୀ ବିକାଶ କରାଯିବା.

ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ । ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ ଦ୍ୱାରରେ lift ଓ skybridge ସୁବିଧା ର ବିକାଶ କରାଯିବ. । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ । ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ ।
ଯାତ୍ରୀ ମାନଙ୍କ ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (Cloak Room) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ ।

ମନ୍ଦିରକୁ ପ୍ରବେଶ ପାଇଁଁ ପୂର୍ବ ଓ ପଶ୍ଚିମ ପାର୍ଶ୍ବ ସଡକର ପ୍ରଶସ୍ତିକରଣ କରାଯିବ। ପୂର୍ବ ପାର୍ଶ୍ବ ସଡକକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ବ ସଡକକୁ ୧୨ ମିଟର ପ୍ରଶସ୍ଥ କରାଯିବ। ମହାନଦୀ ର କୁଲକ୍ଷୟ ରୁ ମନ୍ଦିର କୁ ସୁରକ୍ଷା ଯୋଗାଇବା ପାଇଁ 400meter protective wall ନିର୍ମାଣ କରାଯିବ।ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡିବ। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବେ । ପୂର୍ତ୍ତ ବିଭାଗ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ. ମହାନଦୀ କୁଲକ୍ଷୟ ରୋକିବା ପାଇଁ protective wall କାମ ଜଳସମ୍ପଦ ବିଭାଗ କରିବ ବୋଲି ଜଣାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ନୟାଗଡ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।