ସରିଲା ଲୀଳାଖେଳା, ସିଂହଦ୍ୱାର ସମ୍ମୁଖରେ ତିନି ରଥଙ୍କର ମନୋରମ ଦୃଶ୍ୟ

ପୁରୀ,(ଏସ୍‌ ନ୍ୟୁଜ): ଶ୍ରୀବିଗ୍ରହଙ୍କ ଅନନ୍ୟ ଓ ଦୁର୍ଲଭ ବେଶ ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ଵାର ନିକଟକୁ ବାହୁଡ଼ି ଆସିଛି ତିନି ରଥ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା। ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି। ଆଜି ଭକ୍ତମାନେ ଘରେ ରହି ଟିଭିରେ ଶ୍ରୀଜୀଉଙ୍କ ବାହୁଡ଼ା ପର୍ବର ଦର୍ଶନ କରିଥିଲେ। କର୍ଫ୍ୟୁକୁ ପୁରୀ ସହରବାସୀ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ।

ଆଜି ସଅଳ ସଅଳ ସବୁକିଛି ହୋଇଥିଲା। ଆଜି ସକାଳ ୭.୪୦ ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୦.୨୦ରେ ଶେଷ ହୋଇଥିଲା। ୧୦.୨୫ ରୁ ୧୦.୪୫ ମଧ୍ୟରେ ମଦନମୋହନ, ରାମ କୃଷ୍ଣ ବିଜେ ହୋଇଥିଲେ। ଏହାପରେ ଗଜପତି ମହାରାଜ ତାମଯାନରେ ରଥ ନିକଟକୁ ଆସି ତିନି ରଥରେ ଛେରାପହଁରା କରିଥିଲେ। ଚାରମାଳ ଖୋଲାଯାଇ ଘୋଡା ଯୋଚାଯିବା ପରେ ପ୍ରଥମେ ୧୨.୨୦ରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ, ପରେ ପରେ ୧୨.୫୫ ଦେବଦଳନ ଗଡ଼ିଥିଲା। ଅପରାହ୍ନ ୧.୨୦ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାର ଅଭିମୁଖେ ଗଡ଼ିଥିଲା।

ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତ୍ୟେକଟି ରାସ୍ତାକୁ ସିଲ କରାଯାଇ,ପାଟ୍ରୋଲିଂ ଗାଡି ତୁହାକୁ ତୁହା ପଇଁତରା ମାରୁଥିଲା। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ପହଣ୍ଡି ଠାରୁ ଛେରାପହଁରା ରଥ ଟଣା ଶ୍ରୀଜୀଉଙ୍କ ସମସ୍ତ ନୀତି ଟିଭି ସାମ୍ନାରେ ଦୀପଟିଏ ଲଗାଇ ଭକ୍ତିରେ କିଏ ନଡ଼ିଆଟିଏ ବଢ଼ାଇ ଦର୍ଶନ କରି ବିଭୋର ହୋଇଥିଲେ ଭକ୍ତ। ତିନି ରଥ ଉପରେ ନୀତି ସହ ସମ୍ପୃକ୍ତ ସ୍ୱଳ୍ପ ସେବାୟତ ବସିଥିଲେ।