ଖୁବଶୀଘ୍ର ଅଳିଆ ଗାଡ଼ିରେ ଲାଗିବ ଜିପିଏସ ସିଷ୍ଟମ

ଭୁବନେଶ୍ୱର : ଏଣିକି ଗଳାବାଟ ଦେଇ ଖସି ଯାଇପାରିବନି ଅଳିଆ ଗାଡ଼ି । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବ । ଏହା ଉପରେ ଟିକିନିଖି ନଜର ରଖିବ ବିଏମସି । ପ୍ରତି ଗାଡ଼ିରେ ଲାଗିବ ଜିପିଏସ ଟ୍ରାକିଂ ସିଷ୍ଟମ । ଏ ନେଇ ଖୁବଶୀଘ୍ର ଟେଣ୍ଡର ହେବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୩୦୦ଟି ଗାଡ଼ିରେ ଜିପିଏସ ଲାଗିବ । ଏଥିମଧ୍ୟରେ ୨୭୫ଟି ଅଳିଆ ବୁହା ଗାଡ଼ି ରହିଛି । ଗାଡ଼ି କେତେ ବାଟ ବୁଲିଲା, କେଉଁଠୁ ଅଳିଆ ସଂଗ୍ରହ କଲା ଏହାର ହିସାବ ରଖିବ ବିଏମସି ।

ବିଏମସି ଡୋର ଟୁ ଡୋର ଅଳିଆ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି । କିନ୍ତୁ ଅଧିକାଂଶ ସମୟରେ ଗାଡ଼ି ଗୁଡ଼ିକ ଅଳିଆ ସଂଗ୍ରହ କରୁନି । ଏନେଇ ଗଦା ଗଦା ଅଭିଯୋଗ ମଧ୍ୟ ଆସୁଛି । ଗାଡ଼ି କେତେ କିମି ବୁଲିଲା ତାର ମଧ୍ୟ ସଠିକ ହିସାବ ପାଉନି ବିଏମସି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜିପିଏସ ଲାଗିବ । ଫଳରେ ଗାଡ଼ିର ଗତିବିଧି ଉପରେ ନଜର ରହିବ ।