ମୂର୍ତ୍ତି ଉଚ୍ଚତା ପାଇଁ ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ

କଟକ: ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ । ସରକାରଙ୍କ ୪ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ ନିର୍ଦ୍ଦେଶ ପ୍ରତିବାଦରେ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗୁରୁବାର ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଛି । ତେବେ ଶୁକ୍ରବାର ରାୟ ପ୍ରକାଶ କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତ କରାଯାଇଛି । ବିଜେଡିର ପୂର୍ବତନ ବିଧାୟକ ତଥା କଟକ ନଗର ପୂଜା କମିଟି ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଥିଲା । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ସହ ପରଦା ନ ଢାଙ୍କିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ତ୍ରିପାଠୀ ନିବେଦନ କରିଥିବା ସୂଚନା ମିଳିଛି । ତେବେ ପୂଜା କମିଟି କିମ୍ବା ଶାନ୍ତି କମିଟି ଅଥବା ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ କି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସାଂସଦ ଶ୍ରୀ ମହତାବ କହିଥିଲେ, ଆଲୋଚନା କରିବା ନକରିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ ।