ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଖଣ୍ଡଗିରି: କୋଭିଡ୍‌ କଟକଣା ଯୋଗୁଁ ଖଣ୍ଡଗିରିର ମାଘମେଳା ଫିକା ପଡ଼ିଲା । ହଜାର ହଜାର ସଂଖ୍ୟାରେ ଲୋକ ଅନନ୍ତକେଶରୀଙ୍କ ଆଗମନ ଯାତ୍ରାରେ ସାମିଲ ହେଉଥିଲେ। କିନ୍ତୁ ଚଳିତବର୍ଷ ବି ସେ ଦୃଶ୍ୟ ଦେଖିବାକୁ ମିଳି ନାହିଁ। ଏହା ସତ୍ତ୍ବେ ପ୍ରଥମ ଦିନର ସମସ୍ତ ବିଧି ବିନା ବାଧାରେ ସମ୍ପନ୍ନ ହୋଇଛି। ଭୋର୍‌ ୫ଟାରୁ ଖଣ୍ଡଗିରିରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ଲଳିତା କୁଣ୍ଡ, ଶ୍ୟାମାକୁଣ୍ଡ, ରାଧାକୁଣ୍ଡରେ ସ୍ନାନ କରି ସାଧୁସନ୍ଥମାନେ ନିଜ ଆସ୍ଥାନ ସ୍ଥଳକୁ ଆସିଥିଲେ। ଆଉ କିଛି ସାଧୁ କୋଣାର୍କରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପରେ ଖଣ୍ଡଗିରି ପାହାଡ଼ରେ ପହଞ୍ଚିଥିଲେ।

ଅପରପକ୍ଷେ ସକାଳ ୭ଟାରେ ମା’ ବାରଭୂଜାଙ୍କ ପୂଜାର୍ଚନା କରାଯାଇ ଆଳତି କରାଯାଇ ଖଣ୍ଡ ଖିରି ଲାଗି ହୋଇଥିଲା। ଖଣ୍ଡ ଖିରି ଖାଇବା ଦ୍ବାରା ବହୁ ରୋଗର ନାଶ ହେବା ସହ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ଅପରପକ୍ଷେ ଆଜି ସଂଧ୍ୟା ୬ଟାରେ ଅନନ୍ତ କେଶରୀ ଜାଗମରା ଗାଁ ନାଗାମଠରୁ ସୁସଜ୍ଜିତ ବିମାନରେ ବିରାଜମାନ କରି ଗାଁ ପରିକ୍ରମା କରିଥିଲେ। ପରେ ପ୍ରଭୁଙ୍କୁ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଅଣାଯାଇଥିଲା। ସେଠା‌‌ରେ ଭୋଗରାଗ, ପୂଜାର୍ଚ୍ଚନା କରାଯାଇଥିଲା।