ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ସେପ୍ଟେମ୍ବର ଆରମ୍ଭରୁ ହିଁ ଚଳିତ ମାସରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ମାସର ପ୍ରଥମ ୩ ସପ୍ତାହ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ପ୍ରଥମ ୨ ସପ୍ତାହରେ ଦୁଇଟି ଲଘୁଚାପ ଏବଂ ତୃତୀୟ ସପ୍ତାହରେ ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ସୃଷ୍ଟି ହୋଇଛି । ସମ୍ଭବତଃ ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ବାଭାବିକ ବର୍ଷା ୨୪୨ ମିମିଠାରୁ ଅଧିକ ବର୍ଷା ହେବ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଡ. ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲର ଆକଳନରୁ ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୫ ତାରିଖରେ ଲଘୁଚାପରେ ପରିଣତ ହେବ ବୋଲି ଜଣାପଡ଼ୁଛି । ୬ ତାରିଖରେ ଏହା ଉପକୂଳ ଅତିକ୍ରମ କରି ଛତିଶଗଡ଼ ଦେଇ ବିଦର୍ଭ ଆଡ଼କୁ ମୁହାଁଇବ । ଏହା ଫଳରେ ଆଜି ସଂଧ୍ୟାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶା‌ରେ ବର୍ଷା ଆରମ୍ଭ ହେବ । ୬ରୁ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ ।