ନୁଆ ନମ୍ବର ପ୍ଳେଟ୍‌କୁ ନେଇ ଆସିଲା ନୂଆ ନିୟମ

ନୂଆ ନିୟମ ଆସିବା ପରେ ବି ଲୋକଙ୍କ ଟେନସନ କମିନି…..

ଭୁବନେଶ୍ୱର : ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଦେବାକୁ ପଡ଼ିବନି ଫାଇନ୍ । ଚେକିଂ ବେଳେ କିନ୍ତୁ ଦେଖାଇବାକୁ ପଡ଼ିବ ଅନଲାଇନ ବୁକିଂ ସ୍ଲିପ୍ । ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।STA ପକ୍ଷରୁ କୁହାଯାଇଛି, ଯଦି ଆପଣ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଳେଟ୍ ପାଇଁ ଆବେଦନ କରିଛନ୍ତି, ଅଉ ଆପଣଙ୍କ ହାତରେ ଆବେଦନର ରସିଦ ରହିଛି, ତେବେ ଆପଣଙ୍କୁ ଫାଇନ୍ ଦେବାକୁ ପଡିବ ନାହିଁ ।

ତେଣୁ ଅବଧି ସମୟ ପୂର୍ବରୁ ଏଥିପାଇଁ ସ୍ଳଟ୍ ବୁକିଂ କରିବାକୁ କୁହାଯାଇଛି । କିନ୍ତୁ ଡେଡଲାଇନ୍ ପାର ହୋଇଯିବା ପରେ ଯଦି ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିବ କିମ୍ବା ହାତରେ ଆବେଦନ କରିବାର ରସିଦ ନଥିବ, ତାହେଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଫାଇନ ଗଣିବା ପାଇଁ ପଡିବ । କାରଣ ଅକ୍ଟୋବର ପହିଲାରୁ ଆରମ୍ଭ ହେବ କଡା ଚେକିଂ ।୧,୨,୩ ଓ ୪ ନମ୍ବରରେ ଶେଷ ହେଉଥିବା ଗାଡି ଗୁଡିକ ପାଇଁ ୩୦ ସେପ୍ଟେମ୍ବର ଆବେଦନର ଶେଷ ତାରିଖ ରହିଛି ।

ସେହିପରି ଶେଷରେ ୫, ୬ ନମ୍ବର ଥିଲେ ଅକ୍ଟୋବର, ୭, ୮ ଥିଲେ ନଭେମ୍ବର ଓ ୯ କିମ୍ବା ୦ ନମ୍ବର ଥିବା ଗାଡିଗୁଡିକ ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇବା ନେଇ ରହିଛି ଡେଡଲାଇନ୍ । ନୂଆ ନିୟମ ଆସିବା ପରେ ବି ଲୋକଙ୍କ ଟେନସନ କମିନି । କାରଣ ଆବେଦନ କରିବା ପାଇଁ ସ୍ଲଟ୍ ମିଳୁନାହିଁ । ୬୦ ଦିନର ଅବଧି ମଧ୍ୟରେ ସ୍ଲଟ ମିଳୁଥିବା ବେଳେ ଏବେସୁଦ୍ଧା ଯେଉଁ ସଂଖ୍ୟାରେ ଆବେଦନ କରିଛନ୍ତି ସବୁ ସ୍ଲଟ ବୁକିଂ ସରିଛି ।

ଯେଉଁମାନେ ଏଚଏସଆରପି ପାଇଁ ଆବେଦନ କରିନାହାନ୍ତି, ସେମାନେ ଅବେଦନ କରି ପାଖରେ ରସିଦ ରଖିବା ପାଇଁ ଚାହିଁଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ । ତେଣୁ କେମିତି ରେଜିଷ୍ଟ୍ରେସନ କରିବେ ଆଉ ଫାଇନରୁ ବର୍ତିବେ ତାକୁ ନେଇ ଏବେ ଉପାୟ ଚିନ୍ତା କରୁଛନ୍ତି । ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଅବଧି ଆହୁରି ବୃଦ୍ଧି କରିବା ସହ ଲୋକଙ୍କ ପାଇଁ ଅବେଦନ ପ୍ରକ୍ରିୟା ସହଜ କରିବାକୁ ଦାବି ହୋଇଛି । ଏବେବି ଲୋକଙ୍କ ମନ ଭିତରେ ସନ୍ଦେହ ରହିଛି । କଣ ରହିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟରେ । ଏହାକୁ ଲଗାଇବା ପାଇଁ କାହିଁକି ସରକାର ଏତେ ତତ୍ପର ହେଉଛନ୍ତି ।