‘ଖବରକାଗଜ ସଂସ୍ଥା ମାଲିକମାନଙ୍କୁ ଜେଲ ପଠାଯିବା ଦରକାର’

ଟଙ୍କା ପାଇଁ ଖବରକାଗଜ ସଂସ୍ଥାଗୁଡ଼ିକ ସେମାନଙ୍କର ନୈତିକ ମୂଲ୍ୟବୋଧକୁ ଭୁଲି..

ଭୁବନେଶ୍ୱର: ‘ଅପରାଧିଙ୍କୁ ସହଯୋଗ କରୁଥିବା ଲୋକମାନେ ଯଦି ଆଇନ ଦୃଷ୍ଟିରେ ଅଭିଯୁକ୍ତ ହୁଅନ୍ତି; ତେବେ ଠକ ସଂସ୍ଥାର ବିଜ୍ଞାପନକୁ ପ୍ରକାଶନ କରି ସେମାନଙ୍କ ଠକାମି ଆଭିମୁଖ୍ୟକୁ ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଖବରକାଗଜଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ କି?’, ଏନ୍‌ୟୁବିସି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ଏପରି ମତାମତ ପ୍ରକାଶ ପାଇଥିଲା । ଟଙ୍କା ପାଇଁ ଖବରକାଗଜ ସଂସ୍ଥାଗୁଡ଼ିକ ସେମାନଙ୍କର ନୈତିକ ମୂଲ୍ୟବୋଧକୁ ଭୁଲି ଯାଉଛନ୍ତି ।

କୌଣସି ସଂସ୍ଥାର ବୈଧତା ଓ କାର୍ଯ୍ୟକଳାପ ସଂପର୍କରେ ପୁଲିସ ନଜଣାଇ ଆପଣା ମର୍ଜିରେ ବିଜ୍ଞାପନ ଛାପୁଛନ୍ତି; ନିଜକୁ ଦୋଷମୁକ୍ତ ଜଣାଇବା ପାଇଁ ‘ଖବରକାଗଜରେ ପ୍ରକାଶ ପାଉଥିବା ବିଜ୍ଞାପନଗୁଡ଼ିକ ସଂପୃକ୍ତ ସଂସ୍ଥାର ନିଜସ୍ୱ ମତ । ସେମାନଙ୍କ ମତାମତ ସହିତ ଖବରକାଗଜ ସଂସ୍ଥା ଏକମତ ପାଇଁ ବାଧ୍ୟ ନୁହନ୍ତି । ଉପଭୋକ୍ତାମାନେ ସଂପୃକ୍ତ ସଂସ୍ଥା ସହିତ ବ୍ୟବସାୟିକ ସଂପର୍କ ସ୍ଥାପନ ପୂର୍ବରୁ ବ୍ୟକ୍ତିଗତ ସ୍ତରରେ ଅନୁସନ୍ଧାନ କରିବା ବିଧେୟ’ ଭଳି କେତୋଟି ବାକ୍ୟ ଲେଖି ଦେଉଛନ୍ତି ଯାହା ବଡ଼ବଡ଼ ଖବରକାଗଜରେ ଛୋଟଛୋଟ ଆକାରରେ ପ୍ରକାଶ ପାଉଛି ।
ଏତିକି ଲେଖିଦେଇ ଖବରକାଗଜଗୁଡ଼ିକ ନିଜକୁ ଦୋଷମୁକ୍ତ ବୋଲି ବିଚାର କରୁଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ଖବରକାଗଜଗୁଡ଼ିକ ଆଦୌ କ୍ଷମାର ପାତ୍ର ନୁହନ୍ତି । ନିରପେକ୍ଷ ଖବର ପ୍ରକାଶ କରି ଜନତାଙ୍କର ବିଶ୍ୱାସ ଭାଜନ ହୋଇଥିବା ଖବରକାଗଜଗୁଡ଼ିକ ଯେ ପରୋକ୍ଷରେ ଠକ ସଂସ୍ଥାର ମାୟାଜାଲକୁ ପ୍ରୋତ୍ସାହନ ଦେଉଛନ୍ତି; ଏ କଥା ସ୍ୱୀକାର କରିବାକୁ ନାରାଜ ।

ଚାକିରି ଦେବା ଆଳରେ ଜାଲ ୱେବସାଇଟ୍‌ ଖୋଲିବା ପରେ ଖବରକାଗଜରେ ବିଜ୍ଞାପନ ଦେଇ ସରଳ ଯୁବକ ଯୁବତୀଙ୍କୁ ଲୁଟୁଛନ୍ତି ବହୁ ସଂସ୍ଥା । ଏମିତି ଏକ ଘଟଣାଚକ୍ରରେ କ୍ରାଇମ୍‌ ବ୍ରାଂଚ୍‌ ଆର୍ଥିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନର ସମ୍ପାଦକ ଧରମପାଲ ସିଂଙ୍କୁ ବିହାରର ଗୋପାଲଗଞ୍ଜ ହାତୁଆ ଥାନା ଅନ୍ତର୍ଗତ ରୁପାନଛକ ଅଂଚଳରୁ ଗିରଫ କରିଛି କ୍ରାଇମ୍‌ ବ୍ରାଂଚ୍‌ । ସ୍ଥାନୀୟ କୋର୍ଟଙ୍କ ଅନୁମତି କ୍ରମେ ୫ ଦିନ ପାଇଁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି ଅଭିଯୁକ୍ତ ଧରମପାଲ ସିଂକୁ । ଓଡ଼ିଶାର ବହୁଳ ପ୍ରସାରିତ ଦୈନିକ ଖବରକାଗଜଗୁଡ଼ିକ ଧରମପାଲ ସିଂ’ର ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏନ୍‌ୟୁବିସି ।