ନାଇଟ୍ କର୍ଫ୍ୟୁ ଏଣିକି ରାତି ୧୦ଟା ବଦଳରେ ରାତି ୯ଟାରୁ ଲାଗୁ ହେବ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ତଥା ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାର ନୂତନ କୋଭିଡ୍ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ “ନାଇଟ୍ କର୍ଫ୍ୟୁ” ଏଣିକି ରାତି ୧୦ଟା ବଦଳରେ ରାତି ୯ଟାରୁ ଲାଗୁ ହେବ।

ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ। ତେବେ ଅନ୍‌ଲାଇନ୍ ମାଧ୍ୟମରେ ପାଠପଢା ଜାରି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ବାରଣ କରାଯାଇଛି।

ହାଟ, ଦୋକାନ ବଜାର ଇତ୍ୟାଦିରେ କୋଭିଡ୍ ନିୟମର ପାଳନ ଦୋକାନ/ମଲ୍ ଇତ୍ୟାଦି ମାଲିକଙ୍କ ଉତ୍ତରଦାୟିତ୍ଵ ରହିବ। ନିୟମ ଉଲ୍ଲଂଘନ କଲେ ୭ଦିନ ପାଇଁ ସଂପୃକ୍ତ ପ୍ରତିଷ୍ଠାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିବେ।

ରାଜ୍ୟ ସରକାରଙ୍କ ଅଧିନସ୍ଥ ସରକାରୀ କାର୍ଯ୍ଯାଳୟ ଗୁଡିକ ଆସନ୍ତା ସପ୍ତାହରୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ। ସେହିପରି ରାଜ୍ୟର ଘରୋଇ ଅନୁଷ୍ଠାନ ଗୁଡିକ ସୀମିତ ସଂଖ୍ୟକ ଷ୍ଟାଫ୍‌ଙ୍କୁ ନେଇ କାମ କରିବା ସହିତ ୱର୍କ୍ ଫ୍ରମ୍ ହୋମ୍ ବିକଳ୍ପ କାର୍ଯ୍ଯକାରୀ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ସରକାରୀ କାର୍ଯ୍ୟକ୍ରମ/ମିଟିଙ୍ଗରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ। ଏଥିସହିତ ଇଣ୍ଡୋର୍ କାର୍ଯ୍ୟକ୍ରମରେ ହଲ୍ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ।

ପିକ୍‌ନିକ୍, ମେଳା, କ୍ଲବ୍, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ବନ୍ଦ ରହିବ। ରାଜନୈତିକ, କ୍ରୀଡା ତଥା ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ।