ଫୁଲୁଛି ମହାନଦୀ: ବିଭିନ୍ନ ସ୍ଥାନରେ କରାଯାଉଛି ଲୋକଙ୍କ ସ୍ଥାନାନ୍ତରଣ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟାର ଆଶଙ୍କା ବଢାଇ….

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟାର ଆଶଙ୍କା ବଢାଇ ଦେଇଛି । ଫଳରେ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦର ୨୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ମହାନଦୀରେ ଜଳସ୍ତର ବଢୁଥିବା ଦେଖାଯାଇଛି । ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ସ୍ଥାନରେ ଘାଇ ହେବା ସହିତ ବନ୍ଧ ଭାଙ୍ଗିବା ଆରମ୍ଭ କଲାଣି । ତେବେ ମହାନଦୀର ବଢୁଥିବା ଜଳସ୍ତରକୁ ଲକ୍ଷ୍ୟ କରି ପ୍ରଶାସନ ଏବେ ପଦକ୍ଷେପ ନେବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିପଦସଙ୍କୁଳ ଅବସ୍ଥାରୁ ଏମାନଙ୍କୁ ଉଦ୍ଧାର କରାଯାଇ ୪ଟି ସ୍କୁଲରେ ରଖାଯାଇଥିବା ଜଣାଯାଇଛି । ଏନେଇ ତିର୍ତ୍ତୋଲର ବିଡିଓ ସୂଚନା ଦେଇଛନ୍ତି । ସେପଟେ ବଡମ୍ବାର ଶଙ୍ଖାମେରୀ ଗାଁ ନିକଟରେ ମହାନଦୀରେ ଘଳିଆ ପଡିଥିବା ଜଣାଯାଇଛି । ଗାଁରେ ପାଣି ପଶିଯିବାରୁ ଲୋକମାନଙ୍କୁ ସ୍ଥାନୀୟ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।